ରାଜ୍ୟରେ ୧୦ ବର୍ଷରେ ୨୯ ବାଘ ଶିକାର

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): ଓଡ଼ିଶାରେ ଗତ ୧୦ ବର୍ଷ ଅର୍ଥାତ୍‌ ୨୦୧୨-୧୩ରୁ ୨୦୨୧-୨୨ ଭିତରେ ୨୯ ବାଘଙ୍କୁ ଶିକାରୀ ମାରିଛନ୍ତି। ସେଥିମଧ୍ୟରେ ୩ଟି ମହାବଳ, ୨୬ଟି କଲରାପତରିଆ ବାଘ ରହିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି। ଓଡ଼ିଶାରେ ବନ୍ୟଜନ୍ତୁଙ୍କ ଶିକାର କରି ଛାଲ, ଦାନ୍ତ, ନଖ ଆଦି ଚୋରାଚାଲାଣ ପାଇଁ ର଼୍ୟାକେଟ୍‌ ସକ୍ରିୟ ରହିଛି। ବନବିଭାଗ କଁା ଭଁା ଶିକାରୀଙ୍କୁ ଗିରଫ କରୁଥିବାବେଳେ ର଼୍ୟାକେଟ୍‌ ଚଳାଇଥିବା ବ୍ୟକ୍ତିଙ୍କଠାରେ ପହଞ୍ଚତ୍ପାରୁ ନ ଥିବା ବନ୍ୟପ୍ରାଣୀ ପ୍ରେମୀମାନେ ଅଭିଯୋଗ କରିଆସୁଛନ୍ତି। ୧୦ ବର୍ଷରେ ଯେଭଳି ବାଘଙ୍କ ମୃତ୍ୟୁ ଘଟିଛି ତା’ ଜାରି ରହିଲେ ରାଜ୍ୟର ଚିଡିଆଖାନାରେ ସେମାନଙ୍କ ସଂଖ୍ୟା ସୀମିତ ରହିବ ବୋଲି କ୍ଷୋଭ ପ୍ରକାଶ ପାଇଛି।
ରାଜ୍ୟରେ ୨୮ଟି ମହାବଳ ଓ ୭୬୦ଟି କଲରାପତରିଆ ବାଘ ଅଛନ୍ତି। ୧୦ ବର୍ଷ ମଧ୍ୟରେ ୬ଟି ମହାବଳ ବାଘ ଓ ୪୯ କଲରାପତରିଆ ବାଘ ମରିଛନ୍ତି। ସେଥିରୁ ୩ଟି ମହାବାଘ ଏବଂ ୨୬ଟି କଲରାପତରିଆ ଶିକାରୀ ଦ୍ୱାରା ମରିଛନ୍ତି। ସେହିପରି ୧୦ ବର୍ଷରେ ୪୯ କଲରାପତରିଆ ବାଘ ମରିଥିବା ବେଳେ ୨୬ଟି ଶିକାରୀ ଦ୍ୱାରା ମରିଛନ୍ତି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମଙ୍ଗଳବାର ବିଧାନସଭାରେ ମନ୍ତ୍ରୀ ଅମାତ ଏହି ସୂଚନା ଦେଇଛନ୍ତି। ତାରା ପଚାରିଥିଲେ, ରାଜ୍ୟରେ କେତେ ପ୍ରଜାତିର ବାଘ ରହିଛନ୍ତି, କେତେ ସଂଖ୍ୟକ ବାଘ ଗତ ୧୦ ବର୍ଷରେ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତୋଟି ବାଘ ଶିକାରୀଙ୍କ ଦ୍ୱାରା ଶିକାର ହୋଇଛନ୍ତି। ଏହାର ଜବାବରେ ମନ୍ତ୍ରୀ କହିଛନ୍ତି, ୨୦୧୮ ତଥ୍ୟ ଅନୁଯାୟୀ ଓଡ଼ିଶା ଜଙ୍ଗଲରେ ୨୮ଟି ମହାବଳ ବାଘ ଓ ୭୬୦ଟି କଲରାପତରିଆ ବାଘ ଅଛନ୍ତି। ବ୍ୟାଘ୍ରଙ୍କ ବଂଶବୃଦ୍ଧି ଓ ସୁରକ୍ଷା ପାଇଁ ୨ ଗୋଟି ବ୍ୟାଘ୍ର ପ୍ରକଳ୍ପ ଓ ଶିକାର ନିରୋଧକ ଶିବିର ପ୍ରତିଷ୍ଠା କରାଯାଇଥିବା ବେଳେ ସ୍ପେଶାଲ ସ୍କ୍ବାଡ୍‌ ମୁତୟନ, ଜଙ୍ଗଲରେ ପାଦଚଲା ପଇଁତରା, ତୃଣଭୋଜି ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣ ଭୂମିର ବିକାଶ, ଜଙ୍ଗଲ ନିଆଁର ପ୍ରତିରୋଧ ଭଳି ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି।