Categories: ଜାତୀୟ

ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ୨୯ ବିମାନବନ୍ଦର, ଟର୍ମିନାଲ

ନୂଆଦିଲ୍ଲୀ,୧୭।୧୦(ପି.ଟି.): ଦେଶର ମୋଟ ୨୪ ବିମାନବନ୍ଦର ଏବଂ ୫ ଟର୍ମିନାଲକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କରାଯାଇଛି। ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଆବେଦନ ବଳରେ ଏହି ସୂଚନା ମିଳିଛି। ଗତ ସେପ୍ଟେମ୍ବର ୨୮ ଶହୀଦ ଭଗତ ସିଂଙ୍କ ୧୧୫ତମ ଜନ୍ମବାର୍ଷିକୀରେ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦରକୁ ତାଙ୍କ ନାମରେ ନାମିତ କରାଯାଇଥିଲା।

୪ଟି ବିମାନବନ୍ଦରକୁ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ନାମରେ ନାମିତ କରାଯାଇଛି। ସେଗୁଡ଼ିକ ହେଲା ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ବାରାଣସୀର ଲାଲ୍‌ବାହାଦୁର ଶାସ୍ତ୍ରୀ ବିମାନ ବନ୍ଦର ଏବଂ ଲକ୍ଷ୍ନୌର ଚୌଧରୀ ଚରଣ ସିଂ ବିମାନବନ୍ଦର। ଭୁବନେଶ୍ୱର ବିମାନବନ୍ଦରକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଛି। ସେହିପରି ଅନ୍ୟ କେତେକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ବିମାନବନ୍ଦର ରହିଛି।

ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ନାମିତ ଏୟାରପୋର୍ଟ ଟର୍ମିନାଲ ମଧ୍ୟରେ ରହିଛି ଚେନ୍ନାଇର ଆନ୍ନା ଅନ୍ତର୍ଜାତୀୟ ଟର୍ମିନାଲ ଏବଂ କାମରାଜ ଘରୋଇ ଟର୍ମିନାଲ, ହାଇଦ୍ରାବାଦରେ ଦୁଇଟି ଏନ୍‌.ଟି. ରାମାରାଓ ଟର୍ମିନାଲ। ଭାରତରେ ଏବେ ୨୯ଟି ଅନ୍ତର୍ଜାତୀୟ ଏବଂ ୯୨ଟି ଘରୋଇ ବିମାନବନ୍ଦର ରହିଛି। ଏହା ବ୍ୟତୀତ ୧୦ଟି କଷ୍ଟୁମ୍‌ସ ଏୟାରପୋର୍ଟ, ୮ ହେଲିପୋର୍ଟ ଏବଂ ୨ଟି ଓ୍ବାଟରଡ୍ରୋମ୍‌ ରହିଛି।

Share