ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮।୯(ବ୍ୟୁରୋ): କଟକ ଓ ଭୁବନେଶ୍ୱର ମହାନଗର ନିଗମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। କେତେକ ବ୍ୟକ୍ତି କୋଭିଡ ଗାଇଡ ଲାଇନରେ ଥିବା କଟକଣାକୁ ଅଣ ଦେଖା କରୁଛନ୍ତି। କେତେକ ଲୋକ ବିନା ମାସ୍କରେ ଗହଳି କରୁଛନ୍ତି। ସନ୍ଧ୍ୟା ସମୟରେ ଭୁବନେଶ୍ୱର ଓ କଟକ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ଗହଳି ହେଉଛି। ଗତ କିଛି ଦିନ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଏହା ଜଣାପଡିଛି। କେତେକ ଦାୟିତ୍ୱହୀନ ଲୋକଙ୍କ ଯୋଗୁ ସହରରେ କରୋନା ସଂକ୍ରମଣ ବଢୁଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ପ୍ରଦୀପ କୁମାର ଜେନା କହିଛନ୍ତି। କୋଭିଡ ଗାଇଡଲାଇନ ମାନୁ ନ ଥିବା ଲୋକଙ୍କ ବିରୋଧରେ ବୁଧବାରଠାରୁ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଏ ନେଇ ଦ୍ୱୈତ ନଗରୀର କମିଶନର ଓ ପୋଲିସ କମିଶନରଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଏସଆରସି କହିଛନ୍ତି ଯେ, କରୋନା ମହାମାରୀ ରୋକିବା କେବଳ ସରକାରଙ୍କର କାର୍ଯ୍ୟ ନୁହେଁ। ପ୍ରତିଟି ଗଳି କନ୍ଦିରେ ସମସ୍ତଙ୍କୁ ଜଗିବା ସମ୍ଭବ ନୁହେଁ। କୋଭିଡ-୧୯ ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। କେବଳ ମୁହଁରେ ମାସ୍କ ଲଗାଇବା ଓ ସାମାଜିକ ଦୂରତା ହିଁ ଏହି ରୋଗକୁ ପ୍ରତିହତ କରିବାରେ ସମର୍ଥ ହୋଇପାରିବ ବୋଲି ଡାକ୍ତର ଓ ଚିକିତ୍ସା ବିଶେଷଜ୍ଞମାନେ ମତ ଦେଉଛନ୍ତି। ଯଦି ଆମେ କେହି ଗାଇଡଲାଇନ ମାନିବା ନାହିଁ ତେବେ କରୋନା ଯୁଦ୍ଧକୁ ଜିତିବା ସମ୍ଭବ ହେବ ନାହିଁ। କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଲୋକମାନେ ବୁଝିବାକୁ ଚେଷ୍ଟା ନ କରିବେ ତେବେ ସରକାର ବାଧ୍ୟ ହୋଇ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅଳ୍ପ କେତେକଙ୍କ ପାଇଁ ସମସ୍ତଙ୍କ ଜୀବନ ବିପଦକୁ ଠେଲି ଦେଇ ହେବ ନାହିଁ ବୋଲି ଏସଆରସି କହିଛନ୍ତି। ଗାଇଡଲାଇନ ମାନୁ ନ ଥିବା ଲୋକଙ୍କ ବିରୋଧରେ ଆସନ୍ତା ଦୁଇ ଦିନ ମଧ୍ୟରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆରସି ଚେତାବନୀ ଦେଇଛନ୍ତି।