ଅଜଣା ଜନ୍ତୁ ଆକ୍ରମଣରେ ୨୮ ମେଣ୍ଢା ମୃତ, ୪ ଗୁରୁତର

ମହାକାଳପଡ଼ା,୨ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତ କଳାଗଡ଼ ଗ୍ରାମର ମହନୀ ଦାସ ଜଣେ ଗରିବ ମେଷ ପାଳକ ମେଷ ପାଳନ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଇ ଥାନ୍ତି। ଶନିବାର ବିଳମ୍ବିତ ରାତିରେ ଗୁହାଳରେ ଥିବା ୩୨ ମେଣ୍ଢା ମଧ୍ୟରୁ ୨୮ଟି କୌଣସି ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ୪ ମେଣ୍ଢା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଖବର ସକାଳେ ପ୍ରଚାରିତ ପରେ ମହନୀଙ୍କ ଘରେ ଲୋକେ ରୁଣ୍ଡ ହୋଇଥିଲେ। ଖବର ପାଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଲକ୍ଷ୍ମଣ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନଳଦିଆ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ମୃତ ମେଣ୍ଢାମାନଙ୍କର ପରୀକ୍ଷା କରିଛନ୍ତି ବୋଲି ରାଜସ୍ବ ନିରୀକ୍ଷକ ଲକ୍ଷ୍ମଣ କୁମାର ବେହେରା କହିଛନ୍ତି। ଅନ୍ୟପକ୍ଷରେ ମହନୀ ପରିବାର କିପରି ଚଳାଇବେ ସେନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସରକାରୀ ସ୍ତରରେ ଏହି ଗରିବ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ଜେନା କହିଛନ୍ତି।