ବଡ଼ଭାଇ ପରିବାରକୁ ମୂଳପୋଛ ଉଦ୍ୟମ

ବାମରା,୧୨।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ୍‌ ବାଉଁଶଲଗା ପଞ୍ଚାୟତ ତାଳଡ଼ିହି ଗଁାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ବଡ଼ଭାଇ, ଭାଉଜ ଓ ପୁତୁରାକୁ ଆକ୍ରମଣ କରିବା ପରେ ଘରପାଖ ଅଙ୍ଗନଓ୍ବାଡି କେନ୍ଦ୍ର ପାଇଖାନା ଟାଙ୍କିରେ ଭର୍ତ୍ତି କରି ସେହି ପରିବାରକୁ ମୂଳପୋଛ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ବଡ଼ ଭାଇ ଦିଲୀପ ମାଝି (୨୮) ଓ ତାଙ୍କ ୩ ବର୍ଷର ପୁଅ ବିଶ୍ୱରାଜଙ୍କ ମୃତ୍ୟୁ ଘଟିଛି। ଭାଉଜ ସରିତା(୨୨)ଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ତାଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସେହିପରି ୨ ମୃତଦେହକୁ ବ୍ୟବଚ୍ଛେଦ ପରେ ପୋଲିସ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଗୋବିନ୍ଦପୁର ଥାନାରେ ଆଇପିସିର ଦଫା ୩୦୨ ଓ ୨୦୧ରେ ଏକ ମାମଲା (ନଂ.୧୨୦/୨୦) ରୁଜୁ ହୋଇଛି। ଅଭିଯୁକ୍ତ ସନାତନ ମାଝି (୨୦)ଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି।
ସୂଚନା ଅନୁଯାୟୀ, ତାଳଡ଼ିହି ସ୍କୁଲପଡ଼ା ଅଙ୍ଗନଓ୍ବାଡି ନିକଟରେ ରହୁଥିବା ଦିଲୀପ, ତାଙ୍କ ସ୍ତ୍ରୀ ଓ ପୁଅ ଗତ ରବିବାର ରାତିରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ବି ସେମାନଙ୍କ ପତ୍ତା ମିଳି ନ ଥିଲା। ମଙ୍ଗଳବାର ସକାଳେ ଦିଲୀପଙ୍କ ମା’ ଗୋବିନ୍ଦପୁର ଥାନାକୁ ଆସି ତାଙ୍କ ସାନ ପୁଅ ସନାତନ ବଡ଼ପୁଅ ପରିବାରକୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଏହାପରେ ପୋଲିସ ସନାତନଙ୍କୁ ଧରି ପଚରାଉଚରା କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ପୋଲିସ ବାମରା ଅଗ୍ନିଶମ କର୍ମଚାରୀଙ୍କ ସାହାଯ୍ୟରେ ପାଇଖାନା ଟାଙ୍କିରୁ ଦିଲୀପ ଓ ପୁଅ ବିଶ୍ୱରାଜଙ୍କ ମୃତଦେହ ଉଦ୍ଧାର କରିଥିଲା।
ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି, ସନାତନ ଓ ଦିଲୀପଙ୍କ ମଧ୍ୟରେ ରବିବାର ରାତିରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଫଳରେ ସନାତନ ଏକ ଧାରୁଆ ଅସ୍ତ୍ରରେ ଦିଲୀପ, ସରିତା ଓ ପୁତୁରା ବିଶ୍ୱରାଜଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ସେମାନେ ଚେତାଶୂନ୍ୟ ହୋଇ ପଡିଥିଲେ। ପରେ ସମସ୍ତଙ୍କୁ ଟେକି ନେଇ ପାଖ ପାଇଖାନା ଟାଙ୍କିରେ ପକାଇ ଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ରକ୍ତ ପଡିଥିବା ସ୍ଥାନରେ ସେ ଗୋବର ପାଣି ପକାଇ ପୋଛି ଦେଇଥିଲେ।