ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ ମେ ୨୫ ତାରିଖରେ ଭୋଟ୍‌ଗ୍ରହଣ କରାଯିବ। ଏ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଜିଲାରେ ୮୯୩ଟି ସ୍ଥାନରେ ୧୧୬୨ ବୁଥ୍‌ ସହ ଗୋଟିଏ ଅକ୍‌ଜୁଲାରୀ ବୁଥ୍‌ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ରବିବାର ସୂଚନା ପ୍ରଦାନ କରାଯାଇଛି। ଜିଲାରେ ମୋଟ ୯ ଲକ୍ଷ ୭୧ ହଜାର ୮୩୦ ଜଣ ଭୋଟର ରହିଥିବା ବେଳେ ସମାନଙ୍କ ମଧ୍ୟରୁ ୪ ଲକ୍ଷ ୯୯ ହଜାର ୫୭୧ ଜଣ ପୁରୁଷ ଓ ୪ ଲକ୍ଷ ୭୨ ହଜାର ୧୨୩ ଜଣ ମହିଳା ଭୋଟର ଅଛନ୍ତି। ଚଳିତ ନିର୍ବାଚନରେ ୨୭ ହଜାର ୬୨୫ ଜଣ ନୂଆ ମତଦାତା ପ୍ରଥମ କରି ଭୋଟ ଦେବେ। ୭ ହଜାର ୭୪୮ ଜଣ ବରିଷ୍ଠ ନାଗରିକ (୬୦ ବର୍ଷରୁ ଉର୍ଦ୍ଧ୍ୱ) ମଧ୍ୟ ନିଜ ମତଦାନ ସାବ୍ୟସ୍ତ କରିବେ। ଜିଲାରେ ୧୧,୮୩୨ ଭିନ୍ନକ୍ଷମ ଭୋଟର ରହିଥିବାବେଳେ ୧,୧୪୦ ଜଣ ସେନା କିମ୍ବା ଅର୍ଦ୍ଦସାମରିକ ବାହିନୀରେ କାର୍ଯ୍ୟ କରୁଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜିଲାରେ ୧୩୬ ଜଣ କିନ୍ନର ଭୋଟର ରହିଛନ୍ତି। ବୟସ୍କ ଓ ଭିନ୍ନକ୍ଷମମାନେ ଚାହିଁଲେ ସେମାନଙ୍କ ମତଦାନ ଘରେ କରିପାରିବେ। ଏ ନେଇ ପୂର୍ବରୁ ଫର୍ମ -୧୨ ପୂରଣ କରିବାକୁ ପଡ଼ିବ। ଯଦି କୌଣସି ଭିନ୍ନକ୍ଷମ ବା ବରିଷ୍ଠ ମତଦାତା ବୁଥ୍‌କୁ ଆସି ମତଦାନ କରିବାକୁ ଚାହିଁବେ, ସେମାନେ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଯଦି ସେମାନେ ଫର୍ମ-୧୨ ପୂରଣ କରିଥିବେ ତେବେ ଆଉ ମତଦାନ କେନ୍ଦ୍ରକୁ ଆସି ସେମାନେ ନିଜର ମତଦାନ ସାବ୍ୟସ୍ତ କରିପାରିବେ ନାହିଁ ବୋଲି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମହମ୍ମଦ ଅବଦଲ ଅଖତାର ସୂଚନା ଦେଇଛନ୍ତି। ତାଳଚେର ନିର୍ବାଚନ ମଣ୍ଡଳୀର କଣ୍ଢାଳଠାରେ ଥିବା ୯୮ ନମ୍ବର ବୁଥ୍‌ରେ ମତଦାତାଙ୍କ ସଂଖ୍ୟା ୧,୫୦୦ ପାର୍‌ ହେଉଥିବାରୁ ସେଠାରେ ଅକ୍‌ଜୁଲାରୀ ବୁଥ୍‌ (ମତଦାନ କେନ୍ଦ୍ର ପରିସରରେ ହୋଇଥିବା ଅନ୍ୟ ଏକ କୋଠରୀ) କରାଯିବ। ଏଥିସହ ନିର୍ବାଚନ ଶେଷ ହେବା ପରେ ଭୋଟ ଗଣତି ପର୍ଯ୍ୟନ୍ତ ଜିଲାର ୪ଟି ସ୍ଥାନରେ ଇଭିଏମ୍‌ ଗୁଡ଼ିକ କଡ଼ା ସୁରକ୍ଷା ବଳୟରେ ରଖାଯିବ। ପାଲଲହଡ଼ା ନିର୍ବାଚନମଣ୍ଡଳୀର ମାଲ୍ୟଗିରି ମହାବିଦ୍ୟାଳୟରେ ଷ୍ଟ୍ରଙ୍ଗରୁମ୍‌ ଓ ଭୋଟ ଗଣତି କରାଯିବ। ତାଳଚେର ନିର୍ବାଚନମଣ୍ଡଳୀ ପାଇଁ ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ, ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ପାଇଁ ଅନୁଗୋଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ପାଇଁ ଆଠମଲ୍ଲିକ କଲେଜରେ ଷ୍ଟ୍ରଙ୍ଗ ରୁମ୍‌ କରାଯିବ ବୋଲି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅଖତାର ସୂଚନା ଦେଇଛନ୍ତି।