କାସ୍ପିଆନ୍‌ ସାଗର କୂଳରେ ୨୭୨ ସିଲ୍‌ ମୃତ ଦେହ: ଚିନ୍ତାରେ ପରିବେଶ ବିଜ୍ଞାନୀ

ମସ୍କୋ,୧୪।୧୨: ରୁଷ୍‌ର କାସ୍ପିଆନ୍‌ ସାଗର କୂଳରେ ୨୭୨ ସିଲ୍‌ଙ୍କ ମୃତ ଦେହ ପଡ଼ି ରହିଛି। କିଭଳି ଏତେ ସଂଖ୍ୟକ ସିଲ୍‌ଙ୍କ ମୃତ୍ୟୁ ଘଟିଲା ସେ ନେଇ ପରିବେଶ ବିଜ୍ଞାନୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚାରିପଟୁ ସ୍ଥଳଭାଗ ଦ୍ୱାରା ପରିବେଷ୍ଟିତ ହୋଇଥିବା ଏହି ସାଗର କୂଳରେ ସିଲ୍‌ଙ୍କ ମୃତ ଦେହ ଅଜରବୈଜାନ ସୀମା ପର୍ଯ୍ୟନ୍ତ ପଡ଼ି ରହିଥିବା ରୁଷ୍‌ ଫେଡ଼େରାଲ ଫିଶରି ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମେ ଅଳ୍ପ ସଂଖ୍ୟକ ସିଲ୍‌ ମୃତ ଦେହ ମିଳିଥିଲା। ଏହା ଶିକାରୀ ମାନଙ୍କ ଦ୍ୱାରା ବିଛାଯାଇଥିବା ଚାଇନା ତିଆରି ପ୍ଲାଷ୍ଟିକ୍‌ ଜାଲ ଯୋଗୁ ହୋଇଥିବା ସନ୍ଦେହ କରାଯାଇଥିଲା ବୋଲି କାସ୍ପିଆନ୍‌ଠାରେ ଥିବା ପ୍ରକୃତି ସଂରକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଜୈର ଗପିଜୋଓ୍ବ କହିଛନ୍ତି। ସାଗରକୁ ଘେରି ରହିଥିବା ଅଜରବୈଜାନ, ଇରାନ, କଜାଖସ୍ତାନ, ରୁଷ୍‌ ଏବଂ ତୁର୍କୀମେନିସ୍ତାନରୁ ବହୁ ପରିମାଣର ଅପରିଷ୍କାର ପାଣି ପ୍ରବେଶ କରୁଛି। ଏହାଯୋଗୁ ସାଗର ଜଳ ପ୍ରଦୂଷିତ ହୋଇ ସିଲ୍‌ ସମେତ ଅନ୍ୟ ଜଳଜୀବଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଏହି ଅଞ୍ଚଳ ବହୁ ବିରଳ ପ୍ରଜାତିର ପ୍ରାଣୀ ଏବଂ ଜଳଜୀବଙ୍କ ବାସସ୍ଥଳୀ। ଏତେ ସଂଖ୍ୟକ ସିଲ୍‌ଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଏଠାରେ ପରିବେଶ ବିଜ୍ଞାନୀ ଜମା ହେବାରେ ଲାଗିଛନ୍ତି।

Share