୨୭ ବର୍ଷର ଶିକ୍ଷାନୁଷ୍ଠାନ, ନାହିଁ ବିଦ୍ୟୁତ୍‌ ସଂଯୋଗ

ଲୋଇସିଂହା,୩୦ା୩(ବଲାଙ୍ଗୀର): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟେନପାଲି ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୨୦୧୬ରୁ ଉକ୍ତ ସ୍କୁଲ ଶତପ୍ରତିଶତ ଅନୁଦାନ ଲାଭ କରି ସାରିଛି। ଇତିମଧ୍ୟରେ ଶିକ୍ଷାନଷ୍ଠାନକୁ ୨୭ ବର୍ଷ ହେଲାଣି। ବିଡ଼ମ୍ବନାର ବିଷୟ ଯେ, ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ବିଦ୍ୟାଳୟକୁ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଅପରପକ୍ଷେ ଛାତ୍ରୀଛାତ୍ରଙ୍କ ବୈଷୟିକ ଶିକ୍ଷା ଉପରେ ସରକାର ଗୁରୁତ୍ୱରୋପ କରୁଛନ୍ତି। ହେଲେ ସ୍କୁଲରେ ବିଦ୍ୟୁତ୍‌ ସେବା ନ ଥିବାରୁ ବିଦ୍ୟାଳୟର ଛାତ୍ରୀଛାତ୍ର କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। କୁଟେନପାଲି ପଞ୍ଚାୟତର ସଦର ଗାଁ। ୧୯୯୬ରେ ଉକ୍ତ ସ୍କୁଲ ପ୍ରତିଷ୍ଠା ହୋଇଥିଲା। ଏହି ବିଦ୍ୟାଳୟ ୨୦୦୪ ଅନୁଦାନ ପ୍ରାପ୍ତ ହୋଇ ୨୦୧୬ରେ ଶତପ୍ରତିଶତ ଅନୁଦାନ ଲାଭ କରିଛି। ଆଦିବାସୀ ବହୁଳ କୁଟେନପାଲି,ଦୁମଦୁମି,ପତ୍ରାପାଲି, ବୁଦେଲପାଲି ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରୁଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନ ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ଆଲୋକ ବର୍ତ୍ତିକା ସାଜିଛି। ଖୋଖୋ,କବାଡ଼ି କ୍ଷେତ୍ରରେ ଉକ୍ତ ସ୍କୁଲର ଉଲ୍ଲେଖନୀୟ ଅବଦାନ ରହିଛି। ଖୋଖୋରେ ରାଜ୍ୟ ଓ ଜାତୀୟସ୍ତରରେ ଛାତ୍ରୀ ଭାଗ ନେଇ ବିଦ୍ୟାଳୟର ଗୌରବ ବଢାଇଛନ୍ତି। ସେହିପରି ଶିକ୍ଷାକ୍ଷେତ୍ରର ମଧ୍ୟ ସ୍କୁଲର ଭଲ ପ୍ରଦର୍ଶନ ରହିଛି। ୨୦୨୧-୨୨ ଶିକ୍ଷାବର୍ଷରେ ମାଟ୍ରିକ ପରୀକ୍ଷାରେ ସ୍କୁଲ ବ୍ଲକ ଟପ୍ପର ହୋଇ ପୁରସ୍କୃତ ହୋଇଛି। ୨୦୨୨ ଡିସେମ୍ବରରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଦେହାନ୍ତ ପରେ ପଦବୀ ଖାଲିପଡ଼ିଛି। ସେହିପରି ଅନ୍ୟ ଚାକିରି ପାଇବାରୁ ସିବିଜେଡ ଶିକ୍ଷକ ୨୦୧୦-୧୧ରୁ ସ୍କୁଲ ଛାଡ଼ି ଦେଇଛନ୍ତି। ସେବେଠାରୁ ସିବିଜେଡ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଉଦ୍‌ଗାତା କହିଛନ୍ତି, ବିଦ୍ୟାଳୟରେ ବିଦ୍ୟୁତ୍‌ ନ ଥିବାରୁ ଶିକ୍ଷା ବିଭାଗ ପକ୍ଷରୁ କମ୍ପ୍ୟୁଟର ଯୋଗାଣ ହୋଇପାରିନାହିଁ। ବିଦ୍ୟୁତ ସେବା ମିଳିଲେ ଛାତ୍ରୀଛାତ୍ର ବୈଷୟିକ ଶିକ୍ଷା ପାଇଁ ଉପକୃତ ହୋଇପାରନ୍ତେ। ବିଦ୍ୟୁତ ସଂଯୋଗ ନେଇ ବ୍ଲକ ଅଧ୍ୟକ୍ଷଠାରୁ ସ୍ଥାନୀୟ ବିଧାୟକ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରି ନିରାଶ ହେବାକୁ ପଡ଼ିଥିବା ଅଭିଭାବକମାନେ ଅଭଯୋଗ କରିଛନ୍ତି।