କାଳବୈଶାଖୀ ପ୍ରଭାବରେ ୨୭ ଘଣ୍ଟା ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ

ସିଂହପୁର,୭ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଠାତ୍‌ ପବନ ବୋହିବା ସହିତ ମୂଷଳ ଧାରାରେ ଏକଘଣ୍ଟା ବର୍ଷା ହୋଇଥିଲା। ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଲୋକଙ୍କ ମନରେ ଭୟ ସଞ୍ଚାର କରିଥିଲା। ତେବେ ଝଡ଼ବର୍ଷା ପ୍ରଭାବରେ ବଡ଼ଧରଣର ଦୁର୍ଘଟଣାର ଖବର ମିଳି ନ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଗଛଡ଼ାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। କେତେକ ସ୍ଥାନରେ ଚାଳ ଛପର ଉଡ଼ିଜିବା ସହ ଗଛଡ଼ାଳ ଭାଙ୍ଗି ଆଂଶିକ କ୍ଷୟକ୍ଷତି ଘଟିଛି। ଝଡ଼ବର୍ଷା ମାଡ଼ରେ ପନିପରିବା ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷେ ଝଡ଼ବର୍ଷା ଯୋଗୁ ଗୁରୁବାର ଅପରାହ୍ନଠାରୁ ଶୁକ୍ରବାର ରାତି ୮ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିଥିଲା। ଫଳରେ ୨୭ ଘଣ୍ଟା ଧରି ଅଞ୍ଚଳବାସୀ ଅନ୍ଧାରରେ ରହିଥିଲେ। ତେବେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁ ଦୀର୍ଘ ସମୟ ବିଦ୍ୟୁତ୍‌ ସେବା ବିଛିନ୍ନ ରହିଥିବା ଲୋକେ ଅଭିଯୋଗ କରିଛନ୍ତି।