ବିପର୍ଯ୍ୟୟରେ ଯାଇଛି ୨୬୮ ବିଲିୟନ୍‌ ଡଲାର

ବର୍ନ,୫।୧୨: ବିଶ୍ୱରେ ମନୁଷ୍ୟକୃତ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ଏହା ଫଳରେ ବହୁ ଧନ ଜୀବନ ନଷ୍ଟ ହେବା ସହିତ ବୈଶ୍ୱିକ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ସୁଇଜରଲାଣ୍ଡର ରିଇନ୍‌ସ୍ୟୁରାନ୍ସ ଜାଏଣ୍ଟ ‘ସୁଇସ୍‌ ରେ’ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଚଳିତବର୍ଷ ବୈଶ୍ୱିକ ଅର୍ଥନୀତିକୁ ୨୬୮ ବିଲିୟନ୍‌ ଡଲାର କ୍ଷତି ସହିବାକୁ ପଡ଼ିଛି।

ବାତ୍ୟା ବ୍ୟତୀତ ୟୁରୋପରେ ଓ୍ବିଣ୍ଟର ଷ୍ଟର୍ମ, ଅଷ୍ଟ୍ରେଲିଆ ଏବଂ ସାଉଥ୍‌ ଆଫ୍ରିକାରେ ବନ୍ୟା, ଫ୍ରାନ୍ସରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଚଳିତବର୍ଷ ୧୧୫ ବିଲିୟନ ଡଲାରର କ୍ଷତି ଘଟିଛି। ଏଥିମଧ୍ୟରୁ ମନୁଷ୍ୟକୃତ ବିପର୍ଯ୍ୟୟ କାରଣରୁ ୭ବିଲିୟନ୍‌ ଡଲାର କ୍ଷତି ହୋଇଛି। ଚଳିତବର୍ଷ ବିପର୍ଯ୍ୟୟଜନିତ କ୍ଷତି ସର୍ବାଧିକ ଥିବାବେଳେ ଗତବର୍ଷ ଏହା ୧୨୧ ବିଲିୟନ୍‌ ଡଲାର ଆକଳନ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନ ଏଥିଲାଗି ମୁଖ୍ୟଭାବେ ଦାୟୀ ବୋଲି ସୁଇସ୍‌ ରେ’ର ମୁଖ୍ୟ ମାର୍ଟିନ ବରଟୋଗ କହିଛନ୍ତି।

ବର୍ଷ ପୂର୍ବେ ଆଣ୍ଡ୍ରେଉ ବାତ୍ୟା ଯୋଗୁ ବୈଶ୍ୱିକ ଅର୍ଥନୀତିକୁ ୨୦ ବିଲିୟନ୍‌ ଡଲାରର କ୍ଷତ ସହିବାକୁ ପଡ଼ିଥିଲା। କିନ୍ତୁ ଗତ ୬ ବର୍ଷ ମଧ୍ୟରେ ଏଭଳି ୭ଟି ବିରାଟ ଧରଣର ବାତ୍ୟା ଦ୍ୱାରା ବିଶ୍ୱବାସୀ ପ୍ରଭାବିତ ହୋଇଛନ୍ତି। ଅନ୍ୟବର୍ଷଗୁଡ଼ିକ ତୁଳନାରେ ଚଳିତବର୍ଷ ବିଶ୍ୱ ଅର୍ଥନୀତିରେ ସର୍ବାଧିକ କ୍ଷତି ହୋଇଛି।

ଓ୍ବିଣ୍ଟର ଷ୍ଟର୍ମ କାରଣରୁ ଫେବୃୟାରୀରେ ୟୁରୋପ ଅର୍ଥନୀତିର ୩.୭ ବିଲିୟନ ଡଲାର କ୍ଷତି ହୋଇଛି। ଅନ୍ୟପକ୍ଷେ ଚଳିତବର୍ଷ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଫେବୃୟାରୀ ଓ ମାର୍ଚ୍ଚରେ ଅଷ୍ଟ୍ରେଲିଆରେ ହୋଇଥିବା ଗ୍ରୀଷ୍ମକାଳୀନ ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳରେ ବନ୍ୟାସ୍ଥିତି ଉପୁଜିଥିଲା। ଏପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଦେଶରେ ୪ ବିଲିୟନ୍‌ ଡଲାରର କ୍ଷତି ହୋଇଥିବା ସୁଇସ୍‌ ରେ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 

Share