Categories: ଜାତୀୟ

ଭେଜାଲ ମଦ ପିଇ ଚାଲିଗଲା ୨୬ ଜଣଙ୍କ ଜୀବନ

ଅମୃତସର, ୩୧।୭: ପଞ୍ଜାବର ୩ ଜିଲା ଅମୃତସର, ବତାଲା ଓ ତାରନତରାନରେ ଗତ ୨୪ ଘଣ୍ଟା ମଧ୍ୟରେ ଭେଜାଲ ମଦ ପିଇ ୨୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ମୃତ୍ୟୁବରଣ କରିଥିବା ସମସ୍ତ ଲୋକ ଦାରିଦ୍ର ସୀମାରେଖା ତଳେ ରହୁଥିବା ପରିବାର ସଦସ୍ୟ। ଏହି ସଙ୍ଗୀନ ମାମଲରେ ପୋଲିସ ପକ୍ଷରୁ ଏକ ୪ ଜଣିଆ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ସେହିଭଳି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତିି। ଏହାର ବିଭାଗୀୟ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟରେ ଭେଜାଲ ମଦ ପ୍ରସ୍ତୁତ କରୁଥିବା କୌଣସି ବି ୟୁନିଟ୍‌ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସର୍ଚ୍ଚ ଅପରେଶନ ଆରମ୍ଭ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ଡିଜିପି ଦିନାକର ଗୁପ୍ତା କହିଛନ୍ତିି, ‘ଜୁଲାଇ ୨୯ରେ ଅମୃତସରର ତରସିକା ଥାନା ଅନ୍ତର୍ଗତ ମୁଚ୍ଛଲ ଓ ତଙ୍ଗ୍ରା ଗ୍ରାମରେ ମଦ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୩୦ ତାରିଖରେ ମଧ୍ୟ ମୁଚ୍ଚଲ ଗ୍ରାମରେ ସନ୍ଦିଗ୍ଧ ଅବସ୍ଥାରେ ଆଉ ୨ ଜଣ ଲୋକ ମୃତ୍ୟୁବରଣ କରିଥିଲେ।’

Share