Categories: ଜାତୀୟ

୨୬ ଅଭିଯୁକ୍ତ ଗୁଜରାଟ କୋର୍ଟରେ ନିର୍ଦ୍ଦୋଷ

ଗୋଧ୍ରା, ୩ା୪ : ଗୁଜରାଟରେ ୨୦୦୨ ଦଙ୍ଗା ବେଳେ କାଲୋଲରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୧୨ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା ଓ ଗଣବଳାତ୍କାର କରାଯାଇଥିଲା। ମାମଲାର ୨୦ ବର୍ଷ ପରେ ତଥ୍ୟ ପ୍ରମାଣ ଅଭାବରୁ ଗୁଜରାଟର ଏକ ଅଦାଲତ ସମସ୍ତ ୨୬ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେଇଛନ୍ତି। ଉକ୍ତ ମାମଲାରେ ମୋଟ ୩୯ ଜଣ ଅଭିଯୁକ୍ତ ଥିବାବେଳେ ଇତିମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାରୁ ସେମାନଙ୍କ ବିରୋଧରେ ବିଚାର ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଥିଲା।

ପଞ୍ଚମହଲ ଜିଲା ହାଲୋଲସ୍ଥିତ ଅତିରିକ୍ତ ସେସନ୍ସ ଜଜ୍‌ ଲୀଳାଭାଇ ଚୁଡାସମାଙ୍କ ଅଦାଲତ ଗଣବଳାତ୍କାର ଓ ହତ୍ୟା ମାମଲାର ସମସ୍ତ ୨୬ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ମୁକ୍ତ କରିଦେଇଥିଲେ।
୨୦୦୨ ଫେବୃୟାରୀ ୨୭ରେ ଗୋଧ୍ରା ଷ୍ଟେଶନରେ ସାବରମତୀ ଟ୍ରେନ୍‌ ପୋଡ଼ି ଘଟଣା ପରେ ମାର୍ଚ୍ଚ ୧ରେ ବନ୍ଦ ଡାକରା ଦିଆଯାଇଥିବାବେଳେ ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଇଥିଲା। ୨,୦୦୦ରୁ ଊର୍ଦ୍ଧ୍ୱ ଲୋକେ ମାରଣାସ୍ତ୍ର ଓ ଦାହ୍ୟ ସାମଗ୍ରୀ ଧରି ଭଙ୍ଗାରୁଜା ଓ ପୋଡ଼ାଜଳାରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅଭିଯୁକ୍ତମାନେ ଅନ୍ତର୍ଭୁକ୍ତ ଥିଲେ।

ପୋଲିସ ଗୁଳିରେ ଆହତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଅଟୋରିସ୍କା ସହ ଜୀବନ୍ତ ଜାଳିଦିଆଯାଇଥିଲା। ସେହିପରି ମସ୍‌ଜିଦରୁ ଫେରୁଥିବା ଜଣେ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ଲୋକେ ମାରି ପୋଡ଼ିଦେଇଥିଲେ। ଅନ୍ୟପକ୍ଷରେ ଡେଲୋଲ ଗ୍ରାମରୁ କାଲୋଲ ଯାଉଥିବା ୩୮ ଜଣ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଜାଳିଦିଆଯାଇଥିଲା। ଜଣେ ମହିଳା ଖସିପଳାଇବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ ଗଣବଳାତ୍କାର କରାଯାଇଥିଲା। ମାର୍ଚ୍ଚ ୨ରେ କାଲୋଲ ଥାନା ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ମାମଲାର ବିଚାର ବେଳେ ୧୯୦ ସାକ୍ଷୀଙ୍କ ବୟାନ ଏବଂ ୩୩୪ ଦସ୍ତାବିଜ୍‌ ପ୍ରମାଣକୁ ଅନୁଧ୍ୟାନ କରାଯାଇଥିଲା। ତେବେ ସାକ୍ଷୀମାନଙ୍କ ବୟାନରେ ତାଳମେଳ ରହୁ ନଥିବାରୁ ଏହା ମାମଲାର ପକ୍ଷଙ୍କ ଯୁକ୍ତିକୁ ସମର୍ଥନ କରୁନାହିଁ ବୋଲି ଅଦାଲତ କହିଥିଲେ।

Share