Categories: ବାଣିଜ୍ୟ

୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ

ଭୁବନେଶ୍ୱର,୨୫।୨ (ଅନୁରାଧା ମହାରଣା): ୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ(ଏମ୍‌ଇ ଓ ଏମ୍‌ସି) ଅନୁଷ୍ଠିତ ହୋଇଯାଇଛି। ୮୭ଟି ଖଣିକୁ ଏକତ୍ରିତକରି ଆଞ୍ଚଳିକ ଭୁବନେଶ୍ୱର କେନ୍ଦ୍ରର ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ ଅଧୀନରେ ଏହି ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନା ଅଧୀନ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ଦୈତାରି ଆଇରନ ଓର୍‌ ମାଇନ୍ସ ଚଳିତ ବର୍ଷ ଏହାର ରୌପ୍ୟ ଜୟନ୍ତୀ ଉତ୍ସବ ଆୟୋଜନ କରିଥିଲା। ‘ସ୍ଥାୟୀ ଖଣି ସହ ଭବିଷ୍ୟତକୁ ସୁରକ୍ଷିତ ରଖିବା’ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଥିଲା। ଆଇବିଏମ୍‌ ମାଇନ୍ସ (ଆଇ/ସି) ଏମ୍‌ଡିଆର୍‌ଡିର ମୁଖ୍ୟ ନିୟନ୍ତ୍ରକ ପୀୟୂଷ ନାରାୟଣ ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ତାଙ୍କ ସହ କୋଲକାତା ଆଇବିଏମ୍‌ କଣ୍ଟ୍ରୋଲର ଅଫ୍‌ ମାଇନ୍ସ(ଇଜି) ଶୈଳେନ୍ଦ୍ର କୁମାର ଓ ସବ୍ୟସାଚୀ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ରିଜିଓନାଲ କଣ୍ଟ୍ରୋଲର ଅଫ୍‌ ମାଇନ୍ସ ଅରୁଣ କୁମାର, ଡେପୁଟି କଣ୍ଟ୍ରୋଲର ଅଫ୍‌ ମାଇନ୍ସ ରାଜେଶ କୁମାର ଦାସ, ଓଏମ୍‌ସି ପ୍ରୋଜେକ୍ଟ ଓ ପ୍ଲାନିଂ ନିର୍ଦ୍ଦେଶକ କ୍ଷୀରୋଦ ଚନ୍ଦ୍ର ବ୍ରହ୍ମା, ବିଜ୍‌ନେସ୍‌ ହେଡ୍‌ (ମାଇନ୍ସ) ଏମ୍‌. ମୁଥୁମାରୀ, ଓଏମ୍‌ସି ଏଜିଏମ୍‌ ପିନାକୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନା ଥାଉ କି, ଭୁବନେଶ୍ୱର ଅଞ୍ଚଳର ଭାରତୀୟ ବ୍ୟୁରୋ ଅଫ୍‌ ମାଇନ୍ସ ଅଧୀନରେ ୩୦ ନଭେମ୍ବରରୁ ୬ ଡିସେମ୍ବର ୨୦୨୩ ପୂର୍ବରୁ ଅନୁଷ୍ଠିତ (ଏମ୍‌ଇ ଓ ଏମ୍‌ସି) ୧ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକଳାପ ଦେଖି ସଂସ୍ଥାଗୁଡ଼ିକ ମଧ୍ୟରେ ପରିବେଶ ସଚେତନତା ଏବଂ ଖଣିଜ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ଡମ୍ପିଂ ପରିଚାଳନା, ମୃତ୍ତିକା ଉପର ସ୍ତର ସଂରକ୍ଷଣ ଓ ପରିଚାଳନା, ପୁନରୁଦ୍ଧାର ଏବଂ ପୁନର୍ବାସ, ସବ୍‌ ଗ୍ରେଡ୍‌ ଖଣିଜ ପଦାର୍ଥ ପରିଚାଳନା ଏବଂ ଖଣି ଉପଯୋଗ ସୁବିଧା, ମନିଟରିଂ ଏବଂ ସଷ୍ଟେନେବଲ ମାଇନିଂ ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ଉପରେ ଆଧାରକରି ଯାଞ୍ଚ ଦଳ ଖଣିଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ।

Share