ବଳାତ୍କାରୀଙ୍କୁ ୨୫ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୨ା୧୨: ଏକ ଶିଶୁକନ୍ୟା ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଅଭିଯୁକ୍ତଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୨୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ସରକାରଙ୍କ ନିୟମ ଅନୁସାରେ ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଗଣେଶ ବେହେରାଦଳାଇ ଓରଫ ଲିଟୁ (୨୮)।

୨୦୨୦ ଜାନୁୟାରୀ ୨୬ ତାରିଖରେ ୫ ବର୍ଷିୟା ଶିଶୁକନ୍ୟା ଜଣକ ଘର ସମ୍ମୁଖରେ ଖେଳୁଥିଲେ। ସେତିକିବେଳେ ଅଭିଯୁକ୍ତ ଗଣେଶ ଶିଶୁକନ୍ୟାଙ୍କୁ ବରା କିଣି ଦେବାକୁ କହିଥିଲେ। ପରେ ସେ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ବଳାତ୍କାର କରିଥିଲେ। ଶିଶୁକନ୍ୟା ପାଟି କରିବାରୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଘଟଣା ଦିନ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ ସାରି ଛାତ୍ରୀଛାତ୍ରମାନେ ଫେରୁଥିବା ବେଳେ ପୀଡିତା ଶିଶୁକନ୍ୟାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ପୀଡ଼ିତାଙ୍କ ମା’ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୯/୨) ରୁଜୁ କରି ତଦନ୍ତ ପରେ ଗଣେଶଙ୍କୁ ଗିରଫ କରିଥିଲା। ୧୪ଜଣଙ୍କ ସାକ୍ଷ୍ୟ ପ୍ରମାଣ, ମେଡିକାଲ ରିପୋର୍ଟ ଏବଂ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।