ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ ଅଫିସ,୨୬ା୧୨:ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟ ଜୟନ୍ତୀ ପୁରୀରେ ସୋମବାର ଭବ୍ୟ ସମାରୋହ ମଧ୍ୟରେ ପାଳନ କରାଯିବ। ଏଥିପାଇଁ ତାଳବଣିଆରେ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦଳ ପକ୍ଷରୁ ମେଗା ଆୟୋଜନ କରାଯାଇଥିବାବେଳେ କାର୍ଯ୍ୟକ୍ରମ ସ୍ଥଳରେ ବିଶାଳ ଟେଣ୍ଟ ସାଙ୍ଗକୁ, ବ୍ୟାନର, ଗେଟ, ଫ୍ଲାଗ କାର୍ଡ ଓ ପୋଷ୍ଟର ଆଦି ବ୍ୟାପକ ଭାବେ ଲଗାଯାଇଛି। ମଞ୍ଚ, ଶେଡ୍‌, ବ୍ୟାରିକେଡ୍‌ କାର୍ଯ୍ୟ ମଧ୍ୟ ସରିଛି। ସେହିପରି ପୁରୀ ସହରରେ ଦଳୀୟ ପତାକା ସାଙ୍ଗକୁ ବ୍ୟାନର ଓ ହୋର୍ଡିଂ ଲଗାଯାଇଛି। କାର୍ଯ୍ୟକ୍ରମରେ ଦଳର ନେତା, ମନ୍ତ୍ରୀ, ବିଧାୟକ, ଜିଲାପରିଷଦ, ସରପଞ୍ଚ, ପୌର ସଦସ୍ୟ ସହ ରାଜ୍ୟର ବିଭିନ୍ନ ଅଞ୍ଚଳର ଜନ ପ୍ରତିନିଧି, କର୍ମୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୧୦୦ ବରିଷ୍ଠ ଅଧିକାରୀ ଓ ୩ଜଣ ଅତିରିକ୍ତ ଏସ୍‌ପି ମୁତୟନ ରହିବେ। ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ଥିବାରୁ ଯେପରି କୌଣସି ସମସ୍ୟା ନହେବ ସେଥିପାଇଁ ଧ୍ୟାନ ଦିଆଯାଇଛି।