ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ, ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନଙ୍କ ପାଇଁ ୫ ପ୍ରତିଶତ ବୋନସ ଘୋଷଣା କରିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନୂଆଦିଲ୍ଲୀ ଗସ୍ତ ସମୟରେ ବରଗଡ଼ ଏମ୍ପି ତଥା କେନ୍ଦୁପତ୍ର ଶ୍ରମିକ ନେତା ପ୍ରଦୀପ ପୁରୋହିତ ଫୁଲତୋଡ଼ା ପ୍ରଦାନ ପୂର୍ବକ ଓଡ଼ିଶାର ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କେନ୍ଦୁପତ୍ର ଶ୍ରମିକମାନଙ୍କ ଆଉ କିଛି ମହତ୍ତ୍ବପୂର୍ଣ୍ଣ ଦାବି ବିଷୟରେ ଏମ୍ପି ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷ କରିବା, ସିଜିନାଲ ୱାଚରମାନଙ୍କ ବକେୟା ଦରମା ବାବଦକୁ ୨କୋଟି ୫୦ ଲକ୍ଷ ପ୍ରଦାନ କରିବା, ଶ୍ରମିକମାନଙ୍କ ଝିଅପୁଅଙ୍କୁ ଛାତ୍ରବୃତ୍ତି ପ୍ରଦାନ ଓ ବିବାହ ସହାୟତା ଯୋଗାଇ ଦେବା ଆଦି ମୁଖ୍ୟ ଦାବି ଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅବଗତ କରାଇଥିଲେ। ଆସନ୍ତା କେନ୍ଦୁଲିଫ ଡେଭଲୋମେଣ୍ଟ ବୋର୍ଡ ବୈଠକରେ ଏ ସମସ୍ତ ବିଷୟ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଗୁରୁବାର ଏମ୍ପି ପୁରୋହିତ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।