ବ୍ଲାକ୍‌ମେଲ କରି ସାଇବର ସୁନ୍ଦରୀ ଠକିନେଲେ ୨୫ ଲକ୍ଷ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ମାଟ୍ରିମୋନି ସାଇଟରେ ଜୀବନ ସାଥୀ ଖୋଜୁଥିବା ଜଣେ ଆଇଟି ଇଞ୍ଜିନିୟରଙ୍କୁ ମିଛ ଜାଲରେ ଫସାଇ ମହିଳା ସାଇବର ଠକ କିଛି ଦିନ ତଳେ ୨୪ଲକ୍ଷ ଲୁଟି ନେଇଥିଲେ। ଏବେ ରାଜଧାନୀରେ ପୁଣି ଜଣେ ସରକାରୀ ଟେଲିକମ୍‌ କମ୍ପାନୀର ଅବସରପ୍ରାପ୍ତ କର୍ମଚାରୀ ସାଇବର ସୁନ୍ଦରୀଙ୍କ ଜାଲରେ ପଡ଼ିଛନ୍ତି। ଅଶ୍ଳିଳ ଭିଡ଼ିଓ କଲ୍‌ କରିବା ପରେ ବ୍ଲାକ୍‌ମେଲ କରି ସାଇବର ସୁନ୍ଦରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏନେଇ ଭୁବନେଶ୍ୱର ସାଇବର ଥାନାରେ ତାଙ୍କ ପକ୍ଷରୁ ଗୁରୁବାର ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ଓ ଠିକଣା ଜଣାପଡ଼ିନାହିଁ। ତେବେ ସମ୍ମାନହାନି ହେବାର ଭୟରେ ସେ ତାଙ୍କ ପରିଚୟ ଗୋପନ ରଖିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଦୁଇଦିନ ତଳେ ଏକ ଅଜଣା ହ୍ବାଟ୍ସଆପ୍‌ ନମ୍ବରେ ମେସେଜ୍‌ ଆସିଥିଲା। ଉକ୍ତ ହ୍ବାଟ୍ସଆପ୍‌ ଆକାଉଣ୍ଟ ପ୍ରୋଫାଇଲରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ରହିଥିଲା। ଏହାପରେ ସେ ସାଇବର ସୁନ୍ଦରୀଙ୍କ ସହ ସେ ଚାଟ କରିଥିଲେ। କିଛି ସମୟ ପରେ ସାଇବର ସୁନ୍ଦରୀ ଜଣକ ହଠାତ୍‌ ଅଶ୍ଳୀଳ ଭିଡ଼ିଓ କଲ୍‌ କରିଥିଲେ। ଏହି କଲ୍‌କୁ ସେ ରିସିଭ୍‌ କରି କିଛି ସମୟ କଥା ହୋଇଥିଲେ। ଏହି ଅନ୍ତରଙ୍ଗ ମୁହୂତ୍ତର୍ର୍କୁ ସାଇବର ସୁନ୍ଦରୀ ରେକର୍ଡ କରିଦେଇଥିଲେ। ପରେ ଉକ୍ତ ଅଶ୍ଳୀଳ ଭିଡିଓ ଓ ଫଟୋକୁ ହ୍ବାଟ୍ସଆପ୍‌ ଜରିଆରେ ତାଙ୍କୁ ସାଇବର ସୁନ୍ଦରୀ ପଠାଇଥିଲେ। ଏହା ଦେଖି ଅବସରପ୍ରାପ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେପଟୁ ସାଇବର ସୁନ୍ଦରୀ ବାରମ୍ବାର ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଉକ୍ତ ଫଟୋ ଓ ଭିଡିଓକୁ ମେସେଞ୍ଜର ଦ୍ୱାରା ତାଙ୍କ ସମ୍ପର୍କୀୟଙ୍କୁ ପଠାଇଦେବେ ବୋଲି ଧମକ ଦେଇଥିଲେ। ଲୋକଲଜ୍ଜାର ଶିକାର ହେବା ଭୟରେ ପର୍ଯ୍ୟାୟକ୍ରମେ ୨୫ ଲକ୍ଷ ଟଙ୍କା ସାଇବର ସୁନ୍ଦରୀ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଏହାପରେ ସେ ଅଭିଯୋଗ କରିବାକୁ ଭୟ କରୁଥିଲେ। ଜଣେ ବନ୍ଧୁଙ୍କ ପରାମର୍ଶ ନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।