ବୁଚାରେ ୨୫ ଦିନ ବଳାତ୍କାର

କିଭ୍‌, ୧୪ା୪: କିଭ୍‌ ଛାଡ଼ି ରୁଷୀୟ ସୈନ୍ୟ ଚାଲିଯାଇଥିଲେ ହେଁ ୟୁକ୍ରେନ୍‌ ଲୋକଙ୍କ ପ୍ରତି ସେମାନଙ୍କ ବର୍ବରତା ଓ ଅମାନବୀୟ ଅତ୍ୟାଚାର କାହାଣୀ ଏବେ ସାମ୍‌ନାକୁ ଆସିବାରେ ଲାଗିଛି। ରୁଷିଆ ଯୁଦ୍ଧ ଅପରାଧର ଯାଞ୍ଚ କରୁଥିବା ୟୁକ୍ରେନ୍‌ ସମେତ ବାହାର ଦେଶର ତଦନ୍ତକାରୀ ଟିମ୍‌ ୟୁକ୍ରେନ୍‌ ନାଗରିକଙ୍କ ଉପରେ ହୋଇଥିବା ନିର୍ଯାତନାକୁ ବିଶ୍ୱ ସମ୍ମୁଖକୁ ଆଣିଛନ୍ତି। ବୁଚାରେ ଗଣହତ୍ୟା ଓ ରାସ୍ତାରେ ମାଳମାଳ ମୃତଦେହକୁ ନେଇ ସାରା ଦୁନିଆରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ସଦ୍ୟ ଅନାବୃତ୍ତ ହୋଇଥିବା ତଥ୍ୟ ଅନୁସାରେ, ରୁଷିଆ ସୈନ୍ୟ ବୁଚା ବେସ୍‌ମେଣ୍ଟରେ ମହିଳା, ଯୁବତୀ ଏପରି କି ନାବାଳିକାମାନଙ୍କୁ ବନ୍ଧକ ରଖି ଗଣବଳାତ୍କାର କରିଛନ୍ତି। ପ୍ରାୟ ୨୫ ଦିନ ଧରି ସେମାନେ ୟୁକ୍ରେନ୍‌ ମହିଳାଙ୍କୁ ଶୋଷଣ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୯ ଜଣ ଏବେ ଗର୍ଭବତୀ ଅଛନ୍ତି। ଏ ନେଇ ୟୁକ୍ରେନ୍‌ ମାନବାଧିକାର ଅଧିକାରୀ ଲ୍ୟୁଡ୍‌ମିଲା ଡେନିସୋଭା ସୂଚନା ଦେଇଛନ୍ତି। ରୁଷୀୟ ସୈନ୍ୟ କେବଳ ବୁଚା ନୁହେଁ, କିଭ୍‌ ଉପାନ୍ତ ଅଞ୍ଚଳ ଏବଂ ଅନ୍ୟ ସହରରେ ମଧ୍ୟ ଏଭଳି ବର୍ବର ବ୍ୟବହାର କରିଥିବା ସେ କହିଛନ୍ତି।
ଦାବି କରିଛନ୍ତି, ରୁଷୀୟ ସୈନ୍ୟ ୟୁକ୍ରେନ୍‌ର ୧୪ରୁ ୨୪ ବର୍ଷର ପ୍ରାୟ ୨୫ ଯୁବତୀ ଏବଂ ନାବାଳିକାଙ୍କୁ ବୁଚାର ଏକ ଘରେ ବନ୍ଦୀ ରଖିଥିଲେ। ପ୍ରାୟ ୨୫ ଦିନ ଧରି ସେମାନଙ୍କୁ ବଳାତ୍କାର କରାଯାଇଥିଲା। ଗର୍ଭବତୀଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟା ନାବାଳିକା ଅଛନ୍ତି। ଏପରି କି ଜଣେ ୧୧ ବର୍ଷୀୟ ନାବାଳକଙ୍କୁ ତାଙ୍କ ମା’ ସମ୍ମୁଖରେ ଯୌନ ନିର୍ଯାତନା ଦେଇଛନ୍ତି। ଜଣେ ୫୦ ବର୍ଷୀୟା ମହିଳାଙ୍କ ସ୍ବାମୀଙ୍କୁ ଗୁଳି କରି ରୁଷୀୟ ସୈନ୍ୟ ବନ୍ଧୁକ ମୁନରେ ବଳାତ୍କାର କରିଛନ୍ତି। ଇନ୍‌ପିନ୍‌ରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଏକସଙ୍ଗରେ ୩ ଜଣ ବଳାତ୍କାର କରିଥିବା ଡେନିସୋଭା କହିଛନ୍ତି। ଯୁଦ୍ଧରେ ରୁଷିଆ ବଳାତ୍କାରକୁ ଅସ୍ତ୍ର କରିଥିବା ୟୁକ୍ରେନ୍‌ ହ୍ୟୁମାନ ରାଇଟ୍ସ ଗ୍ରୁପ୍‌ର କାଟେରିନା ଚେରେପାଖା ଜାତିସଂଘକୁ କହିଛନ୍ତି। ଏଭଳି ଘଟଣାର ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତ ହେବା ଜରୁରୀ ବୋଲି ଜାତିସଂଘ ମହିଳା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିମା ବାହୋସ୍‌ କହିଛନ୍ତି। ଆକ୍ରମଣକୁ ୪୯ ଦିନ ପୂରିଥିବାବେଳେ ମାରିଉପୋଲରେ ରୁଷିଆ ଧ୍ୱଂସଲୀଳା ଜାରି ରଖିଛି। ମାରିଉପୋଲରେ ୧ ହଜାରରୁ ଊର୍ଦ୍ଧ୍ୱ ୟୁକ୍ରେନୀୟ ସୈନ୍ୟ ରୁଷିଆ ସମ୍ମୁଖରେ ଆତ୍ମସମର୍ପଣ କରିଥିବା ମସ୍କୋ ଦାବି କରିଛି। ତେବେ କିଭ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

 

Share