୨୫.୬୫ ଲକ୍ଷ ଉପଭୋକ୍ତା ଖାଇବେ ବଟିକା

କଟକ ଅଫିସ,୧୦ା୨: ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଜିଲା ସ୍ବାସ୍ଥ୍ୟ ବିଭାଗ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା କୀଟବାହିତ ରୋଗ ପରାମର୍ଶଦାତ୍ରୀ ତୃପ୍ତିରାଣୀ ନାୟକ ଯୋଗଦେଇ କହିଥିଲେ, ଲୋକଙ୍କୁ ବୟସ ଅନୁପାତରେ ଡିଇସି, ଆଲବେଣ୍ଡାଜଲ୍‌ ବଟିକା ଖୁଆଇବା ପାଇଁ ୯୬୦୩ ଆଶାକର୍ମୀ ଓ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସମୁଦାୟ ୨୫,୬୫,୨୦୯ ଉପଭୋକ୍ତା ଏହି ବଟିକା ସେବନ କରିବେ। ଏହି ବଟିକାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଏଣୁ ସମସ୍ତେ ଏହି ବଟିକା ଖାଇବା ପାଇଁ ସେ ଅନୁରୋଧ କରିଛନ୍ତି। ଫଳରେ ଜିଲାରୁ ଫାଇଲେରିଆ ରୋଗ ଦୂର ହୋଇପାରିବ। ସେହିପରି ଡ. ସମ୍ବିତ ପ୍ରଧାନ ଯୋଗଦେଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଉକ୍ତ କାର୍ଯ୍ୟକ୍ରମ ବ୍ୟାପକ ରୂପେ ସମ୍ପାଦନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଉକ୍ତ ବୈଠକରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ରାଜ୍ୟ କିଟ୍‌ ତତ୍ତ୍ବବିତ୍‌ ଡା. ଦୀପ୍ତି ରଞ୍ଜନ ମହାପାତ୍ର, ସୋମନାଥ ବାନାର୍ଜୀ ଉପସ୍ଥିତ ଥିଲେ। ଡ. ରଞ୍ଜନ କୁମାର ସିଂ ଧନ୍ୟବାଦ ଦେଇଥିଲେ।