ତୀର୍ଥଯାତ୍ରାରେ ୨୪୬ ବରିଷ୍ଠ ନାଗରିକ

କଟକ ଅଫିସ, ୪ା୩: ୨୪୬ ଜଣ ବରିଷ୍ଠ ନାଗରିକ ପୁଷ୍କର ଓ ଆଜମେର ତୀର୍ଥଯାତ୍ରାରେ ବାହାରିଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଜରିଆରେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ତତ୍ତ୍ୱାବଧାନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ କଟକ ଜିଲାରୁ ୨୪୬ ଜଣ ବରିଷ୍ଠ ନାଗରିକଙ୍କୁ ଚୟନ କରାଯାଇଥିଲା। ରାଜସ୍ଥାନର ପୁଷ୍କର ଓ ଆଜମେର ତୀର୍ଥଯାତ୍ରା ନିମନ୍ତେ ୬ଟି ବସ୍‌ ଯୋଗେ ସେମାନଙ୍କୁ ଭୁବନେଶ୍ୱର ପଠାଯାଇଛି। ସେଠାରେ ଶୁକ୍ରବାର ରାତିରେ ରହଣି ପରେ ଶନିବାର ଟ୍ରେନ ଯୋଗେ ଉକ୍ତ ସ୍ଥାନକୁ ଭ୍ରମଣ କରିବେ। ସେଠାରୁ ଆସନ୍ତା ୯ ତାରିଖରେ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି ବୋଲି ଡେପୁଟି କଲେକ୍ଟର ଅଳକାରାଣୀ ଦେବତା ସୂଚନା ଦେଇଛନ୍ତି। କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଧାୟକ ମହମ୍ମଦ ମୋକିମ୍‌ ଓ ସୌଭିକ୍‌ ବିଶ୍ୱାଳ ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲାପାଳ ଶିବ ଟପୋ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।