Categories: ଖେଳ

ରାଜ୍ୟ ଫୁଟ୍‌ବଲ ଆସୋସିଏଶନକୁ ମିଳିବ ୨୪ ଲକ୍ଷ

ନୂଆଦିଲ୍ଳୀ, ୩ା୧୧ (ପି.ଟି.) ଦେଶରେ ରହିଥିବା ସମସ୍ତ ରାଜ୍ୟ ଫୁଟବଲ ଆସୋସିଏଶନଗୁଡିକୁ ବାର୍ଷିକ ୨୪ ଲକ୍ଷ ଟଙ୍କା ପ୍ରଦାନ କରିବ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)। ବୁଧବାର ସ୍ଥାନୀୟ ଫୁଟବଲ ହାଉସରେ ଅଭିଜିତ୍‌ ପଲଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକ ପରେ ଏଆଇଏଫଏଫ୍‌ର ଉନ୍ନୟନ କମିଟି ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ଏହି ଗ୍ରାଣ୍ଟକୁ ପୁରୁଷ ଓ ମହିଳା ଲିଗ୍‌, ୟୁଥ୍‌ ଲିଗ୍‌, ଅଫିସ୍‌, ଆସବାବପତ୍ର ଏବଂ ତୃଣମୂଳ ସ୍ତରରେ ବିକାଶ ପାଇଁ ବିନିଯୋଗ କରାଯିବ ବୋଲି ଏଆଇଏଫଏଫ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଏଆଇଏଫ୍‌ଏଫ୍‌ ପକ୍ଷରୁ ସମସ୍ତ ରାଜ୍ୟ ଆସୋସିଏଶନ୍‌ଗୁଡିକୁ ଏ ସମ୍ପର୍କିତ ପରିଚାଳନା ବୋର୍ଡ ଗଠନ ଏବଂ ଟେକ୍ନିକାଲ କୋ-ଅର୍ଡିନେଟର ନିଯୁକ୍ତି ନେଇ ମଧ୍ୟ ସହଯୋଗ କରାଯିବ। ଯଦି ପୂର୍ବରୁ ଏହି ପଦ ପାଇଁ ନିଯୁକ୍ତି ହୋଇଥାଏ ତେବେ ରାଜ୍ୟ ଆସୋସିଏଶନ୍‌ ଏହି ଗ୍ରାଣ୍ଟରୁ ଉକ୍ତ ଦୁଇ ନିଯୁକ୍ତି ପାଇଁ ମଧ୍ୟ ଅର୍ଥ ବ୍ୟୟ କରିପାରିବ।
ଏହି ଗ୍ରାଣ୍ଟ ପ୍ରଦାନ କରାଯିବା ପାଇଁ କ’ଣ ମାପଦଣ୍ଡ ରହିବ ତାହା ନିର୍ଦ୍ଧାରଣ କରିବା ଲାଗି ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ମୁଲରାଜ ସିଂ ଚୁଡାସମା, ବିଜୟ ବାଲି ଓ ରତନ କୁମାର ସିଂ ମୋଇରେଙ୍ଗଥାମଙ୍କୁ ନେଇ ଗଠିତ କମିଟି ଗ୍ରାଣ୍ଟ ଆବଣ୍ଟନକୁ ନେଇ ଏହାର ଫାଇନାଲ ରିପୋର୍ଟ ନଭେମ୍ବର ୧୫ ସୁଦ୍ଧା ପ୍ରଦାନ କରିବ। ଏଆଇଏଫ୍‌ଏଫ୍‌ର ଭବିଷ୍ୟତ ଯୋଜନା ନିର୍ଦ୍ଧାରଣ ହେବା ପରେ ବିଭିନ୍ନ ରାଜ୍ୟ ଆସୋସିଏଶନ୍‌ଗୁଡିକ ପାଇଁ ରୋଡମ୍ୟାପ ପ୍ରସ୍ତୁତ ସହଜ ରହିବ।

ଏହା ସହିତ ‘ବ୍ରଦର ଷ୍ଟେଟ୍‌ ପ୍ରୋଗ୍ରାମ’ ନାମକ ଏକ କାର୍ଯ୍ୟକ୍ରମ ଲଞ୍ଚ କରାଯାଉଛି, ଯେଉଁଥିରେ ଫୁଟବଲରେ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡିକ ଏକ ବା ଏକାଧିକ ରାଜ୍ୟକୁ ଫୁଟବଲ ପରିଚାଳନା, ବିକାଶ, ଲିଗ୍‌ ଆୟୋଜନ ଓ ତୃଣମୂଳ ସ୍ତରରେ ବିକାଶ ପରି ବିଷୟରେ ସହଯୋଗ କରିପାରିବେ। ବିଭିନ୍ନ ରାଜ୍ୟର ଲିଗ୍‌ ଓ ୟୁଥ୍‌ ଲିଗକୁ ଲୋକପ୍ରିୟ କରିବା ପାଇଁ ଏହାକୁ ଫିଫା ପ୍ଲସ୍‌ ପ୍ଲାଟଫର୍ମରେ ଲାଇଭ୍‌ ଷ୍ଟ୍ରିମ୍‌ କରାଯିବ। ଏପରି କରିବା ଦ୍ୱାରା ରାଜ୍ୟ ଆସୋସିଏଶନଗୁଡିକୁ ଆର୍ଥତ୍କ ସହାୟତା ମିଳିବା ସହିତ ଅଧିକ ଦର୍ଶକୀୟ ସପୋର୍ଟ ମଧ୍ୟ ମିଳିବ ବୋଲି କୁହାଯାଇଛି।

Share