୪୧ ପଞ୍ଚାୟତରେ ୨୪ କାର୍ଯ୍ୟନିର୍ବାହୀ ଅଧିକାରୀ

ନିଶ୍ଚିନ୍ତକୋଇଲି,୨୪ା୨(ସ୍ବ.ପ୍ର.): ପଞ୍ଚାୟତ ଓ ବ୍ଲକ ସ୍ତରରେ ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରକଳ୍ପ ଏବଂ ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇଥାଏ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦକ୍ଷ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ହେଲେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଦୀର୍ଘଦିନ ହେବ ବହୁ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି। ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଏକାଧିକ ପଞ୍ଚାୟତରେ ଦାୟିତ୍ୱରେ ରହିଛନ୍ତି। ଆଇପିଓ, ଡବ୍ଲ୍ୟୁଇଓ, ଏଫଇଓ, ଆକାଉଣ୍ଟ ଅଫିସର ପଦବୀରେ ବିଭାଗୀୟ ଅଧିକାରୀ ନ ଥିବାରୁ ଅଧସ୍ତନ କର୍ମଚାରୀ କାମ ଚଳାଉଛନ୍ତି। ନିକଟରେ ବ୍ଲକ ଏବିଡିଓଙ୍କର ଅବସର ନେବାକୁ ଥିବାରୁ ବ୍ଲକରେ ଏକ ପ୍ରକାର କର୍ମଚାରୀ ସଙ୍କଟ ଦେଖିବାକୁ ମିଳିଛି। ନିଶ୍ଚିନ୍ତକୋଇଲି ବ୍ଲକ ୪୧ଟି ପଞ୍ଚାୟତକୁ ନେଇ ଗଠିତ। ବିଭିନ୍ନ ଯୋଜନାରେ ବ୍ଲକରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ କର୍ମଚାରୀ ଅଭାବ ହେତୁ ଉନ୍ନୟନ କାର୍ଯ୍ୟ ତଥା ଅର୍ଥ ଦେଣନେଣର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘଦିନ ହେବ ସମବାୟ ଅଧିକାରୀଙ୍କ ବଦଳି ହେବା ପରେ ଏହି ପଦବୀ ଖାଲି ପଡିଛି। ସେହିଭଳି ମତ୍ସ୍ୟ ସମ୍ପଦ ଅଧିକାରୀଙ୍କ ପଦୋନ୍ନତି ପରେ ତାଙ୍କ ସ୍ଥାନ ଖାଲି ପଡିଥିବାବେଳେ ବିଭାଗୀୟ ଡେମୋନଷ୍ଟ୍ରେଟର କାର୍ଯ୍ୟ ତୁଲାଉଛନ୍ତି। ଡବ୍ଲ୍ୟୁଇଓ ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ଭିଏଲ୍‌ଡବ୍ଲ୍ୟୁ ଏହି କାର୍ଯ୍ୟ ତୁଲାଉଛନ୍ତି। ବ୍ଲକର ଆକାଉଣ୍ଟ ଅଫିସରଙ୍କ ପଦୋନ୍ନତି ପରେ ତାଙ୍କ ପଦବୀ ଖାଲିପଡିଛି। ତାଙ୍କ କାର୍ଯ୍ୟ ଏବିଡିଓ ତୁଲାଉଛନ୍ତି। ଆଇପିଇଓ ପଦବୀ ଦୀର୍ଘଦିନ ହେବ ଖାଲି ପଡିଥିବାବେଳେ ଏଠାକୁ କେହି ଆସିବାକୁ ମଙ୍ଗୁନାହାନ୍ତି। ବ୍ଲକରେ ୫ଟି ୪ର୍ଥ ଶ୍ରେଣୀ ପଦବୀ ଖାଲି ପଡିଛି।
ସରକାର ପଞ୍ଚାୟତ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ କରିବାକୁ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ କରୁଛନ୍ତି। ବ୍ଲକର ୪୧ଟି ପଞ୍ଚାୟଚରେ ମାତ୍ର ୨୪ ଜଣ ନିର୍ବାହୀ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଜଣେ ନିର୍ବାହୀ ଅଧିକାରୀ ଏକାଧିକ ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ବ୍ଲକର କାର୍ଯ୍ୟନିର୍ବାହୀ ଅଧିକାରୀ ଝିଲି ବେହେରା ଶିର୍ଲୋ, ବନ୍ଧୁପୁର, ପାଳଦା, ଜନାର୍ଦ୍ଦନପୁର ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ସେହିପରି ବିଜୟ କୁମାର ରାଉତ ମହମ୍ମଦପୁର, ମଣିଜଙ୍ଗ, ଇଶାଣୀବରହମପୁର ଓ ସାନ୍ତପୁର ଦାୟିତ୍ୱରେ ଅଛନ୍ତି। ପ୍ରସନ୍ନ କୁମାର ସାହୁ ଅସୁରେଶ୍ୱର, କେଣ୍ଟାଳୋ ଓ କେରିଲୋ ପଞ୍ଚାୟତ ଦାୟିତ୍ୱ ତୁଲାଉଛନ୍ତି। ଯେଉଁ ଭିଏଲ୍‌ଡବ୍ଲ୍ୟୁଙ୍କୁ ଏକାଧିକ ପଞ୍ଚାୟତ ଦିଆଯାଇଛି କେତେବେଳେ କେଉଁ ପଞ୍ଚାୟତର କାର୍ଯ୍ୟ କରୁଛନ୍ତି ଓ କାର୍ଯ୍ୟର କେତେ ସ୍ବଚ୍ଛତା ରହୁଛି ତାହା ତଦନ୍ତ ସାପେକ୍ଷ। ଯୋଜନାର ସଫଳ ରୂପାୟନ ପାଇଁ ଆବଶ୍ୟକ କର୍ମଚାରୀ ନ ଦେବାରୁ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଦିଗହରା ହେବା ନିଃସନ୍ଦେହ। ତୁରନ୍ତ ବ୍ଲକରେ ଆବଶ୍ୟକ କର୍ମଚାରୀ ଯୋଗାଇ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କୁ ପଚାରିବାରେ ୪ର୍ଥ ଶ୍ରେଣୀ କର୍ମଚାରୀ ପଦବୀ ପାଇଁ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଛି। ଅନ୍ୟ କର୍ମଚାରୀ ପଦବୀ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ଖୁବ୍‌ଶୀଘ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସ୍ଥାନ ପୂରଣ କରାଯିବ ବୋଲି ଉଚ୍ଚ କର୍ତ୍ତୃପକ୍ଷ ପ୍ରତିଶ୍ରୁତିି ଦେଇଛନ୍ତି ବୋଲି ସେ କହିଛନ୍ତି।