Categories: ରାଜ୍ୟ

ଓଡ଼ିଶାରେ ପ୍ରଥମ ଘଟଣା: ଡାକ୍ତର ଓ ତାଙ୍କ ସ୍ତ୍ରୀ କରୋନା ପଜିଟିଭ୍‌

କଟକ ଅଫିସ,୨୭।୫: କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର ଓ ତାଙ୍କ ସ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ସିଟି ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି। କେହି ଡାକ୍ତର କରୋନା ଆକ୍ରାନ୍ତ ହେବା ଓଡ଼ିଶାରେ ପ୍ରଥମ। ଏହି ଘଟଣା ପରେ ସମ୍ପୂର୍ଣ୍ଣ ଡାକ୍ତରଖାନାକୁ ବିଶୋଧନ କରାଯାଇଛି। ସଂକ୍ରମିତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ହସ୍ପିଟାଲର ୨୦ ଜଣ କର୍ମଚାରୀଙ୍କ ସ୍ବାବ୍‌ ମଙ୍ଗଳବାର ପରୀକ୍ଷା ପାଇଁ ପଠାଯାଇଛି।
ସୂଚନା ଅନୁଯାୟୀ, ସଂକ୍ରମିତ ଡାକ୍ତରଙ୍କ ବୟସ ୩୯ ବର୍ଷ ଓ ସେ ସିଟି ହସ୍ପିଟାଲରେ ଶିଶୁରୋଗ ବିଶେଷଜ୍ଞ ଭାବେ କାମ କରନ୍ତି। କିଛିଦିନ ତଳେ ସେ ନିଜ ସ୍ତ୍ରୀଙ୍କୁ ଆଣିବା ପାଇଁ କେନ୍ଦ୍ରାପଡ଼ା ଯାଇଥିଲେ। ପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଯିବା ଯୋଗୁ ଗତ ୧୯ ତାରିଖରୁ ସେ ଆଉ ଡାକ୍ତରଖାନା ଆସୁ ନ ଥିଲେ। ଗତ ରବିବାର ଡାକ୍ତର ଓ ତାଙ୍କ ସ୍ତ୍ରୀଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ଉଭୟ ମଙ୍ଗଳବାର କଟକର ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ନିଶ୍ଚିତ ହେବା ପାଇଁ ମଙ୍ଗଳବାର ପୁଣିଥରେ ସେମାନଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଛି। ଡାକ୍ତର ଜଣକ ଚିକିତ୍ସା କରୁଥିବା ବେଳେ କେହି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କ ଦ୍ୱାରା ସଂକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଉଲ୍ଳେଖଯୋଗ୍ୟ, ଗତ ୨୨ ତାରିଖରେ ଏସ୍‌ସିବିରେ ଜଣେ ପ୍ରସୂତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।