ଗଞ୍ଜାମର ୨,୩୨୮ ଅଙ୍ଗନୱାଡି କେନ୍ଦ୍ରରେ ତାଲା

ଛତ୍ରପୁର,୨୪ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାରେ ୫,୧୬୧ଟି ଅଙ୍ଗନୱାଡି କେନ୍ଦ୍ର ରହଥିବା ବେଳେ ସେଥିମଧ୍ୟରୁ ୨,୩୨୮ ଟି କେନ୍ଦ୍ରରେ ଗତ ୩ ଦିନ ହେଲା ତାଲା ପଡିଛି । ଫଳରେ ଉକ୍ତ କେନ୍ଦ୍ରର ଶିଶୁମାନଙ୍କ ପାଠପଢା ବନ୍ଦ ଥିବା ବେଳେ ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି। ରାଜ୍ୟ ସରକାର ଓ ଜିଲା ପ୍ରଶାସନର ବାରଣ ସତ୍ତ୍ୱେ ନିଜର ହକ ପାଇଁ ରାଜଧାନୀ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଧାରଣାରେ ବସିଛନ୍ତି। ଏବେ ଜିଲାରେ ବଳକା ୨,୮୩୩ଟି ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲା ରହିିଛି ।

ଗତ ୨୧ ତାରିଖରୁ ଏକ ନିର୍ଦ୍ଧିଷ୍ଟ ରାଜ୍ୟ ସଂଘର ଡାକରାକ୍ରମେ ଗଞ୍ଜାମ ଜିଲାର ବହୁ କର୍ମୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯେଉଁ ସବୁ କେନ୍ଦ୍ରଗୁଡିକ ବନ୍ଦ ରହିଛି, ସମ୍ପୃକ୍ତ ଅଞ୍ଚଳର ସିଡିପିଓଙ୍କ ପକ୍ଷରୁ ସେଠାର ଅଙ୍ଗନୱାଡି କର୍ମୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଗତ ୧୯ ତାରିଖରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ ସମସ୍ତ କର୍ମୀଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଗଲେ ମମତା ଦିବସ, ପ୍ରାକ ବିଦ୍ୟାଳୟ ପରିଚାଳନା, ଶିଶୁଙ୍କୁ ଖାଦ୍ୟ ପ୍ରଦାନ, ପୋଷଣ ଟ୍ରାକିଂ ତାଲିକା ଆଦି କାର୍ଯ୍ୟରେ ବାଧାସୃଷ୍ଟି ହେବ ବୋଲି ଚିଠରେ ଅବଗତ କରାଯାଇଥିଲା। ଏହାସତ୍ତ୍ୱେ ଜିଲାରେ ୨୩୨୮ ଟି କେନ୍ଦ୍ରରେ ତାଲା ପଡିଥିବାରୁ ନାନା ସମସ୍ୟା ଉପଜୁଛି। ସେହିପରି ଛତ୍ରପୁରରେ ୨୩୯ ଟି କେନ୍ଦ୍ର ମଧ୍ୟରୁ ୪୭ ଟି କେନ୍ଦ୍ରରେ ତାଲା ପଡିିଛି । କର୍ମୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ସୂଚନା ମିଳିଛି।