ଆନ୍ଧ୍ରରୁ ଫେରୁଛନ୍ତି ୨୩ ଦାଦନ ଶ୍ରମିକ

କେନ୍ଦ୍ରାପଡ଼ା ଅଫିସ, ୨୨ା୩: କେନ୍ଦ୍ରାପଡ଼ା ଜିଲାର ଦାଦନ ଶ୍ରମିକ ନିର୍ଯାତନା କାହାଣୀ ପୁଣି ଥରେ ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ବ୍ଲକ ଷଣ୍ଢପଲ୍ଲୀର ୨୩ ଜଣ ଯୁବତୀ ଓ ମହିଳା ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ହସ୍ତକ୍ଷେପ ପରେ ଫେରୁଛନ୍ତି। ଏ ସମ୍ପର୍କରେ ଗ୍ରାମର ଅରୂପାନନ୍ଦ ମଲ୍ଲିକ, କନକପ୍ରଭା ମଲ୍ଲିକ, ସଞ୍ଜୁଲତା ସେଠୀ ପ୍ରମୁଖ କହିଛନ୍ତି, ଆନ୍ଧ୍ରପ୍ରଦେଶ ରାଜମନ୍ଦ୍ରି ଜିଲା ଅନ୍ତର୍ଗତ ଫାଲକୁଲର ସନ୍ଧ୍ୟା ମେରାଇନ୍ସ ଚିଙ୍ଗୁଡି ଫାର୍ମରେ କର୍ମ ନିଯୁକ୍ତି ପାଇଁ ଯାଇଥିଲେ। ଏମାନଙ୍କୁ ଆଳିର ଜଣେ ଠିକାଦାର ନେଇ ସେଠାରେ ପହଞ୍ଚାଇଥିଲେ। ତେବେ ସମ୍ପୃକ୍ତ ଫାର୍ମ ମାଲିକ ସେମାନଙ୍କୁ ୧୨ ଘଣ୍ଟା ଖଟାଇବା ସହ ମଜୁରି ଦେଉ ନ ଥିବା ଖବର ସେଠାରୁ ଖସି ଆସିଥିବା ଜଣେ ଯୁବତୀଙ୍କଠାରୁ ସୂଚନା ମିଳିଥିଲା। ଏପରିକି ସମ୍ପୃକ୍ତା ଯୁବତୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ସହ ଯୌନ ନିର୍ଯାତନା ଦିଆଯିବ ବୋଲି ଧମକ ମିଳୁଥିଲା। ଏ ନେଇ ସମ୍ପୃକ୍ତ ଠିକାଦାର ଓ ଫାର୍ମ ମାଲିକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ସଂଯୋଗ ହୋଇ ନ ଥିଲା। ଗୁରୁବାର ଏ ସମ୍ପର୍କରେ ରାଜ୍ୟପାଳ ହରିଚନ୍ଦନ ଜାଣିବା ପରେ ଦକ୍ଷିଣ ଗୋଦାବରୀର ଏସ୍‌ପି କେ. ନାରାୟଣ ନାଏକଙ୍କୁ ତଦନ୍ତ ସହ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ପି, ନର୍ସାପୁରମ ଡିଏସ୍‌ପି ପି. ବିରଞ୍ଜନେୟ ରେଡ୍ଡୀ ଘଟଣାସ୍ଥଳରେ ପହଞ୍ଚତ୍ ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ଶୁକ୍ରବାର ବସ ଯୋଗେ ସେମାନଙ୍କୁ ପଠାଇ ଦିଆଯାଇଛି। ଫାର୍ମ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ବୋଲି ସେମାନେ ପ୍ରକାଶ କରିଛନ୍ତି।