Categories: ଜାତୀୟ

ତଓ୍ବାଙ୍ଗରେ ସ୍ଥାପନ ହେବ ୨୩ ନୂଆ ମୋବାଇଲ ଟାଓ୍ବାର…

ନୂଆଦିଲ୍ଲୀ,୨୧।୧୨ : ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଚାଇନା ସୈନିକଙ୍କ ସହ ସଂଘର୍ଷ ପରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଲଏସିରେ ଉନ୍ନତ ସଂଯୋଗ ପାଇଁ ସରକାର ୨୩ ଟି ନୂଆ ମୋବାଇଲ ଟାୱାର ସ୍ଥାପନ କରିବାକୁ ଯାଉଛନ୍ତି। ତୱାଙ୍ଗ ଜିଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡିସେମ୍ବର ୯ ରେ ୟାଙ୍ଗତ୍ସୋରେ ଭାରତ-ଚାଇନା ସୈନ୍ୟଙ୍କ ସଂଘର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ତୱାଙ୍ଗ ଡେପୁଟି କମିଶନର କେ.ଏନ ଦାମୋ କହିଛନ୍ତି ଯେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ବିଏସଏନଏଲ ଏବଂ ଭାରତୀ ଏୟାରଟେଲ ତୱାଙ୍ଗରେ ସଂଯୋଗକୁ ସୁଦୃଢ଼  କରିବା ପାଇଁ ୨୩ଟି ନୂଆ ମୋବାଇଲ ଟାୱାର ସ୍ଥାପନ କରିବେ।

ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଥିବା ମୋବାଇଲ ଟାୱାରଗୁଡିକ ଆବଶ୍ୟକୀୟ ସୁବିଧା ଯୋଗାଇବାରେ ସକ୍ଷମ ନୁହଁନ୍ତି। ଏହି କାରଣରୁ, ପ୍ରତିରକ୍ଷା ବାହିନୀ ସହିତ ସୀମା ଅଞ୍ଚଳରେ ରହୁଥିବା ସାଧାରଣ ନାଗରିକମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ସୀମା ଅଞ୍ଚଳରେ କୌଣସି ମୋବାଇଲ ନେଟୱାର୍କ ନ ଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଛି ଏବଂ ବୁମ-ଲା ଏବଂ ଓ୍ବାଇ-ଜଙ୍କସନରେ ଇଣ୍ଟରନେଟ ସେବା ଏବଂ ମୋବାଇଲ ସଂଯୋଗ ମଧ୍ୟ ରହିଛି ବୋଲି ଅଧିକାରୀ କହିଛନ୍ତି। ତଥାପି, ଏଥିରେ ଅଧିକ ଉନ୍ନତି ଆବଶ୍ୟକ ।

ଅଧିକାରୀ କହିଛନ୍ତି, ତୱାଙ୍ଗ ଜିଲା ପ୍ରଶାସନ ପକ୍ଷରୁ ୪୩ ଟି ନୂଆ ଟାଓ୍ବାର ସ୍ଥାପନ ପାଇଁ ଦାବି କରାଯାଇଥିଲା। ତେବେ ୨୩ ଟି ନୂଆ ଟାୱାର ସ୍ଥାପନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୀତଦିନେ ପାହାଡ ଅଞ୍ଚଳରେ ତୁଷାରପାତ ହେଉଥିବାରୁ ମୋବାଇଲ ଟାୱାର ସ୍ଥାପନ କରିବା ଏକ ଚ୍ୟାଲେଞ୍ଜ ହେବ ବୋଲି ସେ କହିଛନ୍ତି।

Share