୨୨୮ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ

ସୋନପୁର,୨୫।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲାତୁରପେଟସ୍ଥିତ ରୁଦ୍ର ମହାକୁଡଙ୍କ ବାସଭବନରେ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଛି। ରୁଦ୍ର ନିଜ ବାସଭବନରେ ବେଆଇନ ଭାବରେ ବିପୁଳ ପରିମାଣର ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଦୀର୍ଘ ବର୍ଷ ଧରି ବ୍ୟବସାୟ ଚଳାଇ ଆସୁଥିଲେ। ଏହି ଅଭିଯୋଗ ମିଳିବା ପରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା। ତେବେ ଚଢାଉ ସମୟରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ(ଏଚ୍‌ପି) କମ୍ପାନୀର ବିପୁଳ ପରିମାଣର ସବ୍‌ସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ଦେଖି ଯୋଗାଣ ବିଭାଗର ଅଧିକାରୀ ମାନେ ତାଜୁବ୍‌ ହୋଇ ଯାଇଥିଲେ। ରୁଦ୍ରଙ୍କ ବାସଭବନରୁ ୬୫ଟି ଖାଲି ସିଲିଣ୍ଡର ଓ ୧୬୩ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ମୋଟ ୨୨୮ଟି ସିଲିଣ୍ଡର ଠାବ କରା ଯାଇଥିଲା। ବିଭାଗ ପକ୍ଷରୁ ସମସ୍ତ ସିଲିଣ୍ଡର ଜବତ କରାଯାଇ କେନ୍‌ଝିରିଆପାଲିସ୍ଥିତ ଏଚ୍‌ପି କମ୍ପାନୀର ଏଜେନ୍ସିଙ୍କ ଜିମା ଦିଆଯାଇଛି। ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ଯୋଗାଣ ବିଭାଗ ଜିଲାପାଳଙ୍କ ଜରିଆରେ ଏଚ୍‌ପି କମ୍ପାନୀକୁ ଅବଗତ କରିବ। ଆଇନ ଅନୁଯାୟୀ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବର୍ଣ୍ଣପୁର ଜିଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ କହିଛନ୍ତି। ଜନବସତି ବାହାରେ ଗ୍ୟାସ ସିଲିଣ୍ଡର ରଖିବା ନିୟମ ଥିବା ବେଳେ ରୁଦ୍ର କେଉଁ କ୍ଷମତା ବଳରେ ନିଜ ବାସଭବନରେ ରଖି ବ୍ୟବସାୟ ଚଳାଇଥିଲେ। ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ କିଭଳି ଚୁପ୍‌ ରହିଥିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହକାରୀ ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ବୀରମହାରାଜପୁର ଯୋଗାଣ ନିରୀକ୍ଷକ ପିଙ୍କୁ ଭୋଇ, ସୋନପୁର ଯୋଗାଣ ନିରୀକ୍ଷକ ଦେବାଶିଷ ତ୍ରିପାଠୀ ଓ ଉଲୁଣ୍ଡା ଯୋଗାଣ ନିରୀକ୍ଷକ ରାଜକିଶୋର ନାୟକ ଏହି ଚଢାଉରେ ସାମିଲ ହୋଇଥିଲେ।