୨୨୨୭ ଭୂମିହୀନ ପରିବାରକୁ ମିଳିଛି ଏଲ୍‌ଆର୍‌ସି

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ଦେବା ପାଇଁ ଗତ ୨୦୧୮ରେ ଜାଗା ମିଶନ ଯୋଜନା ଆରମ୍ଭ କରିଥିଲେ। ଏଥିରେ ଗୋଟିଏ ପରିବାରକୁ ୩୮୩ ସ୍କୁଏର ଫୁଟ୍‌ ସ୍ଥାନ ପାଇଁ ଭୂମି ଅଧିକାର ପ୍ରମାଣ ପତ୍ର (ଏଲଆର୍‌ସି) ପ୍ରଦାନ କରୁଛନ୍ତି। ଏପରିସ୍ଥଳେ କଳାହାଣ୍ଡି ଜିଲାର ଭବାନୀପାଟଣା ପୌରାଞ୍ଚଳ ସମେତ ଜୁନାଗଡ, ଧର୍ମଗଡ ଓ କେସିଙ୍ଗା ବିଜ୍ଞାପିତ ଅଞ୍ଚଳରେ ବର୍ତ୍ତମାନ ସୁର୍ଦ୍ଧା ୨୨୨୭ଜଣ ବସ୍ତିବାସିନ୍ଦା ଭୂମିହୀନ ପରିବାରକୁ ଏଲ୍‌ଆର୍‌ସି (କଲେଣ୍ଡ ରାଇଟ ସାର୍ଟିଫିକେଟ) ଯୋଗାଇ ଦେଇଥିବା ଜଣାପଡିଛି। ଜିଲାର ଭବାନୀପାଟଣା ପୌରାଞ୍ଚଳର ୨୩ ବସ୍ତିବାସିନ୍ଦା(ସ୍ଲମ)ର ୧୦୭୮ଜଣ ଭୂମିହୀନ ପରିବାରକୁ ଏଲ୍‌ଆର୍‌ସି ପ୍ରଦାନ କରାଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ ଏନଏସିରେ ୧୪ଟି ବସ୍ତିବାସିନ୍ଦା ୪୫୫ ଭୂମିହୀନ ପରିବାରକୁ ଏଲ୍‌ଆର୍‌ସି ପ୍ରଦାନ କରାଯାଇଛି। ଅବଶିଷ୍ଟ ବସ୍ତିବାସିନ୍ଦା ପରିବାରର କାଗଜପତ୍ର ଯାଞ୍ଚ ପାଇଁ ତହସିଲ ଅଫିସରେ ରହିଛି। ସମୁଦାୟ ଜୁନାଗଡରେ ଜାଗା ମିଶନ ଯୋଜନାରେ ପ୍ରାୟ ୭୫ % ଭୂମିହୀନ ପରିବାର ଜାଗା ପାଇଥିବା ଜଣାପଡିଛି। ଧର୍ମଗଡ ଏନଏସିରେ ୨ଟି ବସ୍ତିବାସିନ୍ଦାର ୮୭ଜଣ ଓ କେସିଙ୍ଗା ଏନଏସିରେ ୯ଟି ବସ୍ତିବାସିନ୍ଦାର ୬୦୭ଜଣ ଭୁମିହୀନ ପରିବାରକୁ ଏଲ୍‌ଆର୍‌ସି ପ୍ରଦାନ କରାଯାଇଛି। ଜିଲାର ଗୋଟିଏ ପୌରଞ୍ଚଳ ଓ ୩ଟି ଏନଏସିକୁ ଦେଖିଲେ ୨୨୨୭ଜଣ ଭୂମିହୀନ ପରିବାରକୁ ଏଲ୍‌ଆର୍‌ସି ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଗତ କିଛି ଦିନ ତଳେ ରାଜ୍ୟର ସର୍ବପ୍ରଥମେ ଜାଗା ମିଶନ ଯୋଜନାରେ ସଫଳ ଯୋଗଁ କେସିଙ୍ଗା ଏନଏସିକୁ ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଥିଲା।