୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ ପାଇଁ ଜଣେଜଣେ ପାଟୁଆ ୬ ରୁ ୧୦ ଇଞ୍ଚ ଲମ୍ବା, ୨ରୁ ୪ଟି ଲେଖାଏ ଲୁହାବାଙ୍କି କଣ୍ଟା ପିଠିରେ ଫୋଡି ୨୨ ହାତ ଉଚ୍ଚ ଖାଇ ଦଣ୍ଡରୁ ତଳକୁ ଝୁଲିବା ଏବଂ ଠାକୁରଙ୍କ ଜୟଜୟ କାର ଧ୍ୱନିରେ ହରବୋଲ, ହୁଳହୁଳି ଦେଇ ଘେରାକୁ ଘେରା ଚକ୍ର କାଟି ଖାଇ ଚାରିପଟ ବୁଲିବା ଏକ ନିଆରା କଷ୍ଟକର ସାଧନା ଦେଖିବାକୁ ମିଳିଥିଲା। ଖାଇଫୋଡ ଯାତ୍ରା ଦେଖିବାକୁ ଭୀମପୁର ଗ୍ରାମର ମା’ ଗଡଚଣ୍ଡୀ ଏବଂ ଦାଶବିଦ୍ୟାଧରପୁର ଗ୍ରାମର ନିଳକଣ୍ଠେଶ୍ୱର ଦେବଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ମା’ ଗଡଚଣ୍ଡୀଙ୍କୁ ଟାହିଆ ଲାଗି କରାଯାଇଥିଲା । ଘଣ୍ଟ କାହାଳୀ, ମହୁରୀ ବଜାଇ ବସନ୍ତେଇ, ଜାଗୁଳାଇ, ମଙ୍ଗଳା, ବାଟମଙ୍ଗଳା ଓ ମା’ ଗଡଚଣ୍ଡୀ ଏପରି ପାଞ୍ଚଜଣ କାଳେସି ନିକଟବର୍ତ୍ତୀ ଲଳିତା ପୋଖରୀକୁ ବିଜେକରିଥିଲେ । ପୋଖରୀ ଚର୍ତୁପାର୍ଶ୍ୱରେ ସମବେତ ଭକ୍ତ ମାନଙ୍କ ଗହଣରେ ଜଣଙ୍କ ପରେ ଜଣେ ପାଟୁଆଙ୍କ ପୀଠିରେ କାଳିସିମାନେ କଣ୍ଟା ଫୁଟାଇଥିଲେ ମଧ୍ୟ କ୍ଷତ ସ୍ଥାନରୁ ରକ୍ତସ୍ରାବ ହୋଇ ନ ଥିଲା । କଣ୍ଟାର ଗୋଟିଏ ମୁଣ୍ଡରେ ଲଗା ଯାଇଥିବା ରଶିରେ ପାଟୁଆ ମାନେ ବନ୍ଧାହୋଇ ଖାଇଦଣ୍ଡରୁ ତଳକୁ ଝୁଲିଥିଲେ। ଖାଇରେ ବୁଲିବା ସମୟରେ ପାଟୁଆ ମାନେ ଫୁଲ, ଖଜୁରୀ କୋଳି, ଆମ୍ବ ଆଦି ଠାକୁରଙ୍କ ଉଦ୍ଦେଶ୍ୟରେ ପକାଇଥିଲେ ଏବଂ ମାନସିକ ରଖିଥିବା ଛୋଟଛୋଟ ଶିଶୁ ମାନଙ୍କୁ ଖାଇରେ ଧରି ପାଟୁଆମାନେ ବୁଲୁଥିବା ଦେଖାଯାଇଥିଲା।

ସେହିପରି ଦାଶବିଦ୍ୟାଧରପୁର ଗ୍ରାମର ମା’ ବିନ୍ଧ୍ୟାବାସିନୀ, ଦୁଲ୍ଲଣା, ମଙ୍ଗଳା, ଛୋଟା ଗୋସେଇଁଙ୍କ କାଳିସି ଉଭା ହୋଇଥିଲା। ବଡପୋଖରୀ ମଧ୍ୟରେ ପାଟୁଆମାନେ କଣ୍ଟା ଫୋଡାଇ ଜଣକ ପରେ ଜଣେ ଖାଇରେ ବୁଲିଥିଲେ। ଅସାଧ୍ୟ ରୋଗ ପୀଡାରୁ ଉପଶମ, ନାନା ମାନସିକ ଓ ନିସନ୍ତାନମାନେ ସନ୍ତାନ ସନ୍ତତି ଆଶାରେ ଏଭଳି କଷ୍ଟକର ତପ ସାଧନା କରନ୍ତି । ପ୍ରାୟ ହଜାରେ ବର୍ଷ ହେବ ଭୀମପୁର ଗ୍ରାମ ସ୍ଥାପନ ସମୟରୁ ଏହିଯାତ୍ରା ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତରେ ଅନୁଷ୍ଠିତ ହୋଇଥାସୁଛି। ବୋଲି ଗ୍ରାମର ପୁରୁଖା ଲୋକେ କହନ୍ତି। ଏହିଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଦୁଇ ଗ୍ରାମର ଖାଇଫୋଡ କମିଟି, ପୋଲିସ, ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସତ୍ୟବାଦୀ ଥାନା ପୋଲିସ ଉପସ୍ଥିତ ରହିଥିଲେ।

Dharitri – Odisha’s No.1 Odia Daily

Share