Categories: ଜାତୀୟ

ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରୁ ଭାରତର ୨୨

ନୂଆଦିଲ୍ଲୀ,୧୬।୩ : ଦେଶର ଲୋକଙ୍କୁ ଚିନ୍ତାରେ ପକାଇଲା ଭଳି ଏକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରେ ରହିଛି ଭାରତର ୨୨ଟି ସିଟି। ଆଉ ଦିଲ୍ଲୀକୁ ସବୁଠୁ ପ୍ରଦୂଷିତ ରାଜଧାନୀ ମାନ୍ୟତା ଦିଆଯାଇଛି।

ଆଇକ୍ୟୁଏୟାର ନାମକ ସୁଇସ ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଥିବା ‘ଓ୍ବାଲର୍‌ଡ ଏୟାର କ୍ୱାଲିଟି ରିପୋର୍ଟ ୨୦୨୦’ରୁ ଏହା ଜଣାପଡ଼ିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୧୯ ଅପେକ୍ଷା ୨୦୨୦ରେ ଦିଲ୍ଲୀର ବାୟୁର ଗୁଣବତ୍ତାରେ ଆସିଛି ୧୫ ପ୍ରତିଶତ ସୁଧାର। ଏହା ସତ୍ତ୍ୱେ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ସହର ତାଲିକାରେ ଦଶମ ସ୍ଥାନରେ ରହିଛି। ଆଉ ବଜାୟ ରଖିଛି ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ ମାନ୍ୟତା।

ଦିଲ୍ଲୀ ଛଡ଼ା ସବୁଠୁ ପ୍ରଦୂଷିତ ସହର ତାଲିକାରେ ଗାଜିଆବାଦ, ବୁଲନ୍ଦଶାହର, ବିସ୍‌ରଖ ଜଲାଲପୁର, ନୋଏଡା, ଗ୍ରେଟର ନୋଏଡା, କାନପୁର, ଲକ୍ଷ୍ନୌ, ମିରଟ, ଆଗ୍ରା ଓ ଉତ୍ତର ପ୍ରଦେଶର ମୁଜାଫରନଗର, ରାଜସ୍ଥାନର ଭିଓ୍ବାରୀ, ଫାରିଦାବାଦ, ଜିନ୍ଦ, ହିସାର, ଫତେହାବାଦ, ବନ୍ଧଓ୍ବାରୀ, ଗୁରୁଗ୍ରାମ, ଯମୁନା ନଗର, ରୋହକୋତ, ହରିୟାଣାର ଧାରୁହେରା ଏବଂ ବିହାରର ମୁଜାଫରପୁର ରହିଛି। ଏହି ରିପୋର୍ଟରେ ଚାଇନାର ଜିନଜିଆଙ୍ଗ ସହର ବିଶ୍ୱର ସବୁଠୁ ପ୍ରଦୂଷିତ ବୋଲି ଦର୍ଶାଯାଇଛି। ଏହା ପଛକୁ ଭାରତର ୯ଟି ସହର ଯଥାକ୍ରମେ ବୁଲନ୍ଦଶହର, ବିସ୍‌ରଖ ଜଲାଲପୁର, ନୋଏଡା, ଗ୍ରେଟର ନୋଏଡା, କାନପୁର, ଲକ୍ଷ୍ନୌ ଓ ଭିଓ୍ବାରି ରହିଛି।

Share