କାର ଭିତରୁ ୨୨ ଲକ୍ଷ ଟଙ୍କା ଜବତ: ଅଭିଯୁକ୍ତ ଫେରାର

ଖୋର୍ଦ୍ଧା ଅଫିସ,୨୨।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଶିଆଳିଆ ରାସ୍ତାରୁ ପୋଲିସ ଜଣେ ବ୍ରାଉନସୁଗାର ବେପାରୀଙ୍କ କାରରୁ ନଗଦ ୨୨ଲକ୍ଷ ଟଙ୍କା ଜବତ କରିଛି। ଜବତ କାର( ନଂ ଓଡି୦୨ସିବି-୪୨୪୨)ର ମୂଲ୍ୟ ପ୍ରାୟ ୧୮ଲକ୍ଷ ଟଙ୍କା ହେବ। ତେବେ ପୋଲିସକୁ ଚକମା ଦେଖାଇ ବ୍ରାଉନସୁଗାର ବେପାରୀ ଗାଡ଼ିଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତିି।
ମଙ୍ଗଳବାର ଆଦର୍ଶ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି(ଏଏସ୍‌ପି) ସୁରେନ୍ଦ୍ର ନାଥ ମୁର୍ମୁ ଏହି ସୂଚନା ଦେଇଛନ୍ତି। ଏହି ସମୟରେ ସଦର ଏସ୍‌ଡିପିଓ ଦିଲ୍ଲୀପ ଦାସ, ଥାନାଧିକାରୀ ତାରିକ ଅହମଦ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏଏସ୍‌ପି ମୁର୍ମୁ ସୂଚନା ମୁତାବକ ଗତ ଅକ୍ଟୋବର ୨୧ ତାରିଖରେ ଖୋର୍ଦ୍ଧା ଆଦର୍ଶ ପୋଲିସ କେଶ ନଂ ୫୨୧/୨୨ ରେ ବ୍ରାଉନସୁଗାର କାରବାର ସମ୍ପୃକ୍ତି ନେଇ ସାମନ୍ତରାପୁର ଅଞ୍ଚଳର କାନି ବେହେରା, ସ୍ବର୍ଣ୍ଣଲତା ବେହେରା, ଦମୟନ୍ତି ବେହେରା, କୁଳମଣି ବେହେରା ପ୍ରମୁଖଙ୍କୁ ଗିରଫ କରିଥିଲା। କାନି ବେହେରାଙ୍କ ପୁଅ ଶରତ ଓରଫ ବାୟା ଫେରାର ହୋଇଯାଇଥିଲେ। ସୋବାର ଅପରାହ୍ନରେ ଶରତ ବ୍ରାଉନସୁଗାର ଧରି ଏକ କାରରେ ଭୁବନେଶ୍ବର ଯାଉଥିବା ଖବରପାଇ ପୋଲିସ ରାଜପଥର ବିଭିନ୍ନ ଛକରେ ଜଗିଥିଲା। ତେବେ ପୋଲିସ ଆଖିରେ ଧୂଳି ଦେଇ ଶରତ କାରକୁ ଶିଆଳିଆ ରାସ୍ତାରେ ଛାଡି ଚମ୍ପଟ ମାରିଥିଲେ। ପୋଲିସ କାର ଯାଞ୍ଚ ବେଳେ ଉପରୋକ୍ତ ସାମଗ୍ରୀ ଜବତ କରିଛି।