ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ମାମଲା: ୨୨ ଭାଜପା ଯୁବମୋର୍ଚ୍ଚା ନେତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା

କଟକ ଅଫିସ,୨୧ା୪: ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜେଲ୍‌ରେ ଥିବା ୨୨ ଜଣ ଭାଜପା ଯୁବମୋର୍ଚ୍ଚା ନେତାଙ୍କୁ ହାଇକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ବିକ୍ଷୋଭ କରିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇ ଯୁବମୋର୍ଚ୍ଚା ନେତାମାନେ ଗିରଫ ହୋଇଥିଲେ। ବିଚାରପତି ସଙ୍ଗମ କୁମାର ସାହୁ ଏମାନଙ୍କ ଆବେଦନ ଉପରେ ଶୁଣାଣି କରି ଜାମିନ ପ୍ରଦାନ କରିଛନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରତିବାଦରେ ଗତ ଫେବୃୟାରୀ ୨୮ରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉବେଳେ ହିଂସାକାଣ୍ଡ ଘଟିଥିଲା। ଭାଜପା କାର୍ଯ୍ୟାଳୟଠାରୁ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ କର୍ମୀମାନେ ବିଧାନସଭା ଆଡ଼କୁ ଯାଉଥିବାବେଳେ ପୋଲିସ ସେମାନଙ୍କୁ ଲୋୟର ପିଏମ୍‌ଜିଠାରେ ଅଟକାଇଥିଲା। ହେଲେ ଭାଜପା କର୍ମୀମାନେ ପୋଲିସ ଉପରକୁ ଢେଲା ଓ ଅଣ୍ଡାମାଡ଼ କରିଥିଲେ। ଏଥିରେ ୨୧ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାରେ ଇରାଶିଷଙ୍କ ସମେତ ୨୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।