ରାୟଗଡ଼ା ଜିଲାର ୨ ଜେଲରୁ ୨୧୮ କରୋନା ପଜିଟିଭ

ରାୟଗଡ଼ା ଅଫିସ/ ଗୁଣପୁର,୨୯ା୮(ଡି.ଏନ୍‌.ଏ.): ରାୟଗଡ଼ା ସମଗ୍ର ରାଜ୍ୟରେ ଶେଷ ଜିଲାଭାବେ ଜୁନ୍‌ ୩ରେ କରୋନା ତାଲିକାରେ ସାମିଲ ହୋଇଥିଲା। ପ୍ରଥମେ ଜଣେ ଦିଲ୍ଲୀ ଫେରନ୍ତା ଯୁବତୀ ସଂକ୍ରମିତ ହୋଇଥିଲେ। ତେବେ ତିନି ମାସ ମଧ୍ୟରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୪୨୧୫ରେ ପହଞ୍ଚିଛି। ସମସ୍ତ ରେକର୍ଡ ଅତିକ୍ରମ କରି ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୪୯୫ ପଜିଟିଭ ଚିହ୍ନଟ ହୋଇଥିବା ଶୁକ୍ରବାର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି ଜିଲାରୁ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ସଂକ୍ରମିତଙ୍କ ମଧ୍ୟରେ ଜିଲାର ୨ ସବ୍‌ଜେଲରୁ ୨୧୮ ଜଣ ରହିଥିବା ଜଣାପଡ଼ିଛି। ରାୟଗଡ଼ା ସବ୍‌ଜେଲରୁ ୫ କର୍ମଚାରୀଙ୍କ ସମେତ ୧୫୭ ଏବଂ ଗୁଣପୁର ସବ୍‌ଜେଲରୁ ୬୧ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଚିହ୍ନଟ କର୍ମଚାରୀ ଏବଂ ଅନ୍ତେବାସୀଙ୍କୁ ଜେଲ୍‌ସ୍ଥିତ କୋଭିଡ୍‌ କେୟାର୍‌ ହୋମ୍‌(ସିସିଏଚ୍‌)ରେ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି। ରାୟଗଡ଼ା ଜେଲ୍‌ ସିସିଏଚ୍‌ ପାଇଁ ଡା. ଅବନୀ ମହାପାତ୍ର(ଏମ୍‌ଏସ୍‌, ଆର୍‌ଆର୍‌ଟି) ଏବଂ ଗୁଣପୁର ସବ୍‌ଜେଲ ସିସିଏଚ୍‌ ପାଇଁ ଡା. ରମେଶ ଚନ୍ଦ୍ର ସାହୁ(ଏସ୍‌ଡିଏମ୍‌ଓ, ଗୁଣପୁର)ଙ୍କୁ ଅଥରାଇଜ୍‌ଡ୍‌ ମେଡିକାଲ ଅଫିସରଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଅଥରାଇଜ୍‌ଡ୍‌ ପର୍ସନ୍‌ ଭାବେ ୨ ସବ୍‌ଜେଲ୍‌ର ଅଧୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିବା ଜିଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଜିଲାରୁ ମୋଟ ୪୨୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୨୭୮ଜଣ ସୁସ୍ଥହୋଇ ଫେରିଥିବାବେଳେ ୨୨ଜଣଙ୍କ ମୃତ୍ୟୁ ଘଟିଛି। ଜିଲାରେ ଆଉ ୧୯୧୫ ସଂକ୍ରମିତ ଚିକିତ୍ସିତ ଥିବା ଜଣାପଡ଼ିଛି। ତେବେ ଚଳିତ ମାସରେ ପରୀକ୍ଷା ସଂଖ୍ୟା ବୃଦ୍ଧି ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା ଜାରି ରହଛି ବୋଲି ଜିଲାପାଳ କହିଛନ୍ତି। ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ରହିଛି। ତେବେ ଲକ୍ଷଣକୁ ନ ଲୁଚାଇ ପ୍ରଶାସନକୁ ଜଣାଇବା ପାଇଁ ସେ ଅନୁରୋଧ କରିଛନ୍ତି।