ଜିମ୍ବାୱେରେ ମିଳିଲା ୨୧ କୋଟି ବର୍ଷ ପୁରୁଣା ଡାଇନୋସର କଙ୍କାଳ

ହାରାରେ, ୩୦ା୭ (ଏଜେନ୍ସି): ଜିମ୍ବାଓ୍ବେରେ ୨୧ କୋଟି (୨୧୦ ନିୟୁତ) ବର୍ଷ ପୁରୁଣା ନୂତନ ପ୍ରଜାତିର ଡାଇନୋସର କଙ୍କାଳ ଆବିଷ୍କୃତ ହୋଇଛି। ଏହି ପ୍ରାଚୀନ ଆବିଷ୍କାର ପୃଥିବୀରେ ଡାଇନୋସରମାନଙ୍କ ବଂଶ ବିସ୍ତାର ଏବଂ ସେମାନଙ୍କ ଜୈବ-ବିବିଧତା ସମ୍ପର୍କରେ ଏକ ନୂତନ ଦିଗ ଦେଖାଇଛି। ପ୍ରାଚୀନ କାଳରେ ଦକ୍ଷିଣ ଆଫ୍ରିକୀୟ ଭୂଖଣ୍ଡରେ କେବଳ ଗୋଟିଏ ପ୍ରକାରର ନୁହେଁ, ବରଂ ଭିନ୍ନ ଭିନ୍ନ ପରିବେଶରେ ବିବିଧ ପ୍ରଜାତିର ଡାଇନୋସର ବାସ କରୁଥିଲେ ବୋଲି ବିଜ୍ଞାନୀମାନେ ପ୍ରକାଶ କରିଛନ୍ତି।
ସାମ୍ପ୍ରତିକ ଭାବେ ‘ଜର୍ନାଲ ଅଫ୍‌ ସିଷ୍ଟମାଟିକ ପାଲେଓଣ୍ଟୋଲୋଜି’ରେ ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ନୂତନ ଭାବେ ଚିହ୍ନଟ ଉକ୍ତ ଡାଇନୋସରର ନାମ ‘ମୁସାଙ୍ଗୋ ମାଟୁସାଡୋନେନ୍ସିସ’ ରଖାଯାଇଛି। ସ୍ଥାନୀୟ ଶୋନା ଭାଷାରେ ‘ମୁସାଙ୍ଗୋ’ର ଅର୍ଥ ହେଉଛି ‘ବୁଦାଳିଆ ଜଙ୍ଗଲରେ ବାସ କରୁଥିବା ଜୀବ’। ୨୦୧୮ରେ ଉତ୍ତର ଜିମ୍ବାୱେର କାରିବା ହ୍ରଦ କୂଳରୁ ଏହାର ଜୀବାଶ୍ମ ଖୋଳି ବାହାରକରାଯାଇଥିଲା। ଜିମ୍ବାୱେରୁ ଚିହ୍ନଟ ହୋଇଥିବା ଏହା ପଞ୍ଚମ ଡାଇନୋସର ପ୍ରଜାତି।
ବହୁ ଲକ୍ଷ ବର୍ଷ ପରେ ବିବର୍ତ୍ତିତ ହୋଇଥିବା ବିଶାଳକାୟ ଡାଇନୋସରଗୁଡ଼ିକ ତୁଳନାରେ ମୁସାଙ୍ଗୋ ବେଶ୍‌ ସ୍ବଳ୍ପ ଓଜନିଆ ଓ ସ୍ବାଭାବିକ ଆକାରର ଥିଲା। ଏହାର ଲମ୍ବ ପ୍ରାୟ ୪.୫ ମିଟର (୧୫ ଫୁଟ) ଏବଂ ଓଜନ ପ୍ରାୟ ୨୨୨ କିଲୋଗ୍ରାମ (ଗୋଟିଏ ପୂର୍ଣ୍ଣବୟସ୍କ ବାରହା ସହ ସମାନ) ଥିବା ଆକଳନ କରାଯାଇଛି। ଲଣ୍ଡନ ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମର ଗବେଷକ ପଲ୍‌ ବାରେଟ୍‌ଙ୍କ କହିବା ଅନୁଯାୟୀ, ପୂର୍ବରୁ ସମଗ୍ର ଦକ୍ଷିଣ ଆଫ୍ରିକା ଭୂଖଣ୍ଡରେ ଏକା ପ୍ରକାରର ଡାଇନୋସର ବାସ କରୁଥିବା ନେଇ ଧାରଣା ରହିଥିଲା। ମାତ୍ର ଏହି ନୂତନ ଜୀବାଶ୍ମ ପ୍ରମାଣିତ କରୁଛି ଯେ, ସେତେବେଳେ ଭିନ୍ନ ଭିନ୍ନ ବାସସ୍ଥଳୀରେ ବିବିଧ ପ୍ରଜାତିର ଡାଇନୋସର ରହୁଥିଲେ। ବର୍ତ୍ତମାନ ସୁଦ୍ଧା ଆମେ ଯାହା ପାଇଛୁ, ତାହା କେବଳ ଏକ ବୃହତ୍‌ ସତ୍ୟର ଛୋଟ ଅଂଶ ମାତ୍ର ବୋଲି ବାରେଟ୍‌ କହିଛନ୍ତି। ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିମ୍ବାୱେରୁ ମିଳିଥିବା ସମସାମୟିକ ଜୀବାଶ୍ମଗୁଡ଼ିକ ମଧ୍ୟରେ ଏହା ସବୁଠାରୁ ଅଧିକ ସଂପୂର୍ଣ୍ଣ କଙ୍କାଳ। ଏହାର ମେରୁଦଣ୍ଡ, ପଞ୍ଜରା ହାଡ଼, ଗୋଡ଼ ଓ ହାତର ଅସ୍ଥି ସୁରକ୍ଷିତ ଅବସ୍ଥାରେ ମିଳିଛି। ମୃତ୍ୟୁ ସମୟରେ ଏହି ଡାଇନୋସରଟିକୁ ପ୍ରାୟ ୮ ବର୍ଷ ହୋଇଥିଲା ଏବଂ ଏହା ପ୍ରାୟ ପୂର୍ଣ୍ଣବୟସ୍କ ହେବାକୁ ଯାଉଥିଲା। ଏହାର ଅସ୍ଥିରୁ ଏକ ଗୁରୁତର କ୍ଷତ କିମ୍ବା ସଂକ୍ରମଣରୁ ଏହା ସୁସ୍ଥ ହୋଇଥିବାର ପ୍ରମାଣ ମଧ୍ୟ ମିଳିଛି। ଏହାର ମୁଣ୍ଡର ଖପୁରି ମିଳି ନ ଥିଲେ ହେଁ, ଏହା ନଦୀକୂଳିଆ ଉଦ୍ଭିଦ ଓ ଗଛଲତା ଖାଉଥିବା ଏକ ଶାକାହାରୀ କିମ୍ବା ସର୍ବଭୋଜୀ ଜୀବ ହୋଇଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ୨୦୨୨ରେ ଜିମ୍ବାୱେରୁ ଆଫ୍ରିକା ଭୂଖଣ୍ଡର ସବୁଠାରୁ ପ୍ରାଚୀନ (ପ୍ରାୟ ୨୩୦ ନିୟୁତ ବର୍ଷ ତଳର) ଡାଇନୋସର ‘ଏମ୍‌ବିରେସରସ ରାଥି’ର ଜୀବାଶ୍ମ ମିଳିଥିଲା, ଯାହାର ଉଚ୍ଚତା ମାତ୍ର ୧ ମିଟର ଏବଂ ଓଜନ ୩୦ କିଲୋଗ୍ରାମ ଥିଲା।

Odisha’s No.1 Odia Daily

Share