ପଞ୍ଚାୟତିରାଜ ବିଭାଗରେ ୨୧୦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ୨୧୦ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗ୍ରାମୀଣ ଗୃହ ନିର୍ମାଣ ଓ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ୨ଟି ପ୍ରମୁଖ କାର୍ଯ୍ୟକ୍ରମ। ବିଭାଗରେ ନୂତନ ଭାବେ ସୃଷ୍ଟି ହୋଇଥିବା ଇଞ୍ଜିନିୟରିଂ କ୍ୟାଡରର ଏହା ପ୍ରଥମ ବ୍ୟାଚ୍‌। ନିର୍ଦ୍ଦିିଷ୍ଟ ସମୟସୀମା ମଧ୍ୟରେ କଚ୍ଚାଘରଗୁଡ଼ିକୁ ପକ୍କାଘରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ୨୦୨୪ ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନୂତନ ଇଞ୍ଜିନିୟରିଂ କ୍ୟାଡର ସୃଷ୍ଟି ଗ୍ରାମୀଣ ଭିତ୍ତିଭୂମି ଉପରେ ସରକାରଙ୍କ ଧ୍ୟାନର ଏକ ଉଦାହରଣ ବୋଲି ସେ ପ୍ରକାଶ କରିଛନ୍ତି। ଓଡ଼ିଶାରେ ବର୍ତ୍ତମାନ ଚାଲିଥିବା ରୂପାନ୍ତରଣର ଅଂଶ ହେବା ନିମନ୍ତେ ସେମାନଙ୍କ ସମସ୍ତ ଶକ୍ତି ଓ ଜ୍ଞାନ ବିନିଯୋଗ କରିବାକୁ ନୂତନ ନିଯୁକ୍ତ ଯନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୂତନ କର୍ମଚାରୀମାନଙ୍କୁ ସେମାନଙ୍କ ଦୈନଦିନ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ରର ଅନୁପାଳନ ନିମନ୍ତେ ଆହ୍ବାନ ଦେଇଛନ୍ତି।
ମନ୍ତ୍ରୀ ପ୍ରତାପ ଜେନା ଏହି ଅବସରରେ ନବନିଯୁକ୍ତ ସହକାରୀ ଯନ୍ତ୍ରୀମାନଙ୍କୁ କହିଛନ୍ତି, ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହକାରେ ଗରିବ କଲ୍ୟାଣ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକରିବା ଆବଶ୍ୟକ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ (୫-ଟି) ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରମୁଖ ଶାସନ ସଚିବ ଅଶୋକ ମୀନା କାର୍ଯ୍ୟକ୍ରମରେ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ।