Categories: ମେଟ୍ରୋ

୫୧୮୮ ଅମାନିଆ ଗଣିଲେ ତଣ୍ଡ, ୨୧ ଦୋକାନ ସିଲ୍‌

ଭୁବନେଶ୍ୱର,୧୮।୯ (ବ୍ୟୁରୋ): ଦ୍ୱୈତନଗରୀରେ କରୋନା ବେକାବୁ ପରିସ୍ଥିତିକୁ ଚାଲିଯାଉଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ କୋଭିଡ୍‌ ନିୟମ ଓ କଟକଣାକୁ କଡାକଡି ପାଳନ କରିବାକୁ ଡିଜିପି ନିର୍ଦ୍ଦେଶ ଦେବା ପରେ ଗୁରୁବାରଠାରୁ କଟକ ଓ ଭୁବନେଶ୍ୱରରେ ଯାଞ୍ଚକୁ ଜୋର୍‌ଦାର କରାଯାଇଛି। ସହରର ହାଟ, ବଜାର, ରାସ୍ତା, ଗଳି କନ୍ଦି, ସୋରୁମ୍‌ ଆଦି ସ୍ଥାନରେ ୩ ଜୋନ୍‌ ଦାୟିତ୍ୱରେ ଥିବା ଡିସିପି ର଼୍ୟାଙ୍କ୍‌ର ଅଧିକାରୀଙ୍କ ତତ୍ତ୍ୱାବଧାନରେ ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। କମିଶନରେଟ ପୋଲିସର ସୂଚନାନୁସାରେ, ମୋଟ ୫୧୮୮ଜଣ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ମାସ୍କ ନ ପିନ୍ଧି ୬୬୦ଜଣ ତଣ୍ଡ ଗଣିଥିବାବେଳେ ସାମାଜିକ ଦୂରତ୍ୱ ନ ମାନି ଗହଳି କରୁଥିବା ୩୩୮୩ଜଣ ଓ ମୋଟର ଯାନ ଆଇନ ଉଲ୍ଲଂଘନ କରି ଧରାପଡିଥିବା ୧୧୪୫ ଜଣଙ୍କଠାରୁ ଜରିମାନା ନିଆଯାଇଛି। ସେହିଭଳି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ୨୧ ଦୋକାନକୁ ସିଲ୍‌ କରାଯାଇଥିବା ଜଣାପଡିଛି।
କୋଭିଡ଼ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ କିଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସମସ୍ତ ଥାନା ଅଧିକାରୀ ଓ ଏସିପିଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥା ହୋଇଥିଲେ। ଏଥିପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ସ୍ପେଶାଲ ଇନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରାଯାଇଛି। ଜନଗହଳି ସ୍ଥାନରେ ପୋଲିସ ମୁତୟନ ରହିବେ ଓ ପିସିଆର ଭ୍ୟାନ୍‌ ମଧ୍ୟ ଏନ୍‌ଫୋର୍ସମେଣ୍ଟରେ ସାମିଲ ରହିବ। ଜୋନ୍‌ ଏସିପିମାନେ ସ୍ପେଶାଲ ଡ୍ରାଇଭ କରିବେ। ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ସିପି କହିଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀ ଫୋନ୍‌ ମାଧ୍ୟମରେ ସୁପରିଭିଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପଳାସପଲ୍ଲି, ପୋଖରୀପୁଟ, କଳ୍ପନା ଛକ, ଟଙ୍କପାଣିରୋଡ଼, ରଘୁନାଥପୁର, ସୁନ୍ଦରପଦା ହାଟ, ବ୍ରହ୍ମେଶ୍ୱର ଛକ, ବାପୁଜୀ ନଗର, ଡମଣା ହାଟ, ପଟିଆ ଛକ, କିଟ୍‌ ଛକ ଆଦି ବହୁ ସ୍ଥାନରେ କଡାକଡି ଯାଞ୍ଚ ହୋଇଥିଲା। ଏହି ଯାଞ୍ଚରେ ଟ୍ରାଫିକ ପୋଲିସ ମଧ୍ୟ ସାମିଲ ରହିଥିଲେ। ଯେଉଁମାନେ ଘଟଣାସ୍ଥଳର ଜରିମାନା ଦେଇ ନ ଥିଲେ ସେମାନଙ୍କ ଉପରେ ଇ ଚାଲାଣ କଟାଯାଇଥିଲା।