ବରଗଡ଼ ଜିଲାରେ ପୁଣି ୨୧ କରୋନା ପଜିଟିଭ୍‌: ୧୩୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୩ା୭: ବରଗଡ଼ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର କଣ୍ଟେନ୍‌ମେଣ୍ଟ ଜୋନ୍‌ କଟାପାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଗୋଟିଏ ଅଞ୍ଚଳକୁ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଜିଲାରେ ୨୧ ନୂଆ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ କଟାପାଲିରୁ ୧୯ ଏବଂ ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧୨ କଟକିଆପଡ଼ା ଓ ଓ୍ବାର୍ଡ ନଂ- ୧୯ ଟିଟିଲାଗଡ଼ିଆ ପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତ। ଏମାନଙ୍କ ମଧ୍ୟରେ ୧୨ ଜଣ ମହିଳା, ୮ଜଣ ପୁରୁଷ ଏବଂ ଜଣେ ବାଳକ ଥିବାବେଳେ ସେଥିରୁ ଜଣେ କରୋନା ଯୋଦ୍ଧା ରହିଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବରଗଡ଼ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ସଂକ୍ରମିତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି। ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧ରେ ପହଞ୍ଚିଛି।