ମୋରମ ଲୁଟ୍‌ ମାମଲାରେ ୨୧ ଲକ୍ଷ ଟଙ୍କା ଜରିମାନା

କଳିଙ୍ଗନଗର,୪ା୭(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମାଣତିରା ମୌଜାରେ ଟାଟା ରେଳପଥଠାରୁ ନ୍ୟୁ ଭିସ୍ତା ସିମେଣ୍ଟ କାରଖାନା ପର୍ଯ୍ୟନ୍ତ ନୂତନ ରେଳପଥ ସଂଯୋଗ କାର୍ଯ୍ୟ ଜାରି ରହିଛି । ଏହି ରେଳ ପଥରୁ ବାହାରୁଥିବା ମୋରମକୁ ଯୋଜନାବଦ୍ଧ ଭାବେ ଲୁଟ୍‌ କରାଯାଉଥିବା ଅଭିଯୋଗ ହେବା ପରେ ଦାନଗଦୀ ତହସିଲ ପକ୍ଷରୁ ଲୁଟ ସମ୍ପର୍କରେ ଅନୁସନ୍ଧାନ ପାଇଁ ତତ୍ପରତା ପ୍ରକାଶ ପାଇଥିଲା । ମୋରମ ଖନନ କରୁଥିବା ଠିକା ସଂସ୍ଥା ପିକାସୋନା ଏଣ୍ଟରପ୍ରାଇଜର୍ସ ବେଆଇନ ଭାବେ ୧୦୪୦ କ୍ୟୁବିକ ମିଟର ମୋରମ ଲୁଟ କରିଥିବା ରାଜସ୍ବ ବିଭାଗର ସରଜମିନ ତଦନ୍ତ ବେଳେ ଜଣାପଡିଥିଲା । ଏକ ରାସ୍ତା ନିର୍ମାଣ ପାଇଁ ଲୁଟ ମୋରମର ବ୍ୟବହାର ହୋଇଥିଲା । ରାସ୍ତାରେ ପଡିଥିବା ମୋରମର ଆକଳନ କରାଯାଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ସଂସ୍ଥାକୁ ଗତ ୧ା୭ା୨୩ରେ ଚିଠି ନମ୍ବର-୧୬୦୪ରେ ମୋଟ ୨୦ ଲକ୍ଷ ୯୩ ହଜାର ୫୪୦ଟଙ୍କା ଜରିମାନା କରାଯାଇଛି ।
ଅଭିଯୋଗ ମୁତାବକ ଦାନଗଦୀ ତହସିଲର କେତେଜଣ ଅସାଧୁ କର୍ମଚାରୀ, ସ୍ଥାନୀୟ ରାଜସ୍ବ କାର୍ଯ୍ୟାଳୟ ଓ ପୋଲିସ ସହଯୋଗରେ ଗଚ୍ଛିତ ଥିବା ମୋରମରୁ ନିୟମିତ ଭାବେ ଲୁଟ ଚାଲିଥିଲା । ରେଳପଥରୁ ମୋରମ ଆସି ଗଚ୍ଛିତ ରହୁଥିବା ସ୍ଥାନରୁ ଅତି ଗୋପନରେ ଲୁଟ୍‌ କରାଯାଉଥିଲା । ଏହି କାରବାରରେ ମୋଟା ଅଙ୍କର ବଟି କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ବ୍ୟବସାୟୀ ଗୋଷ୍ଠୀ ପ୍ରଶାସନର ବାହୁଛାୟା ତଳେ ରହି ମୋରମ ଚୋରା ଚାଲାଣ କରୁଥିବା ବେଳେ ସେଠାରେ ଏକ ବାଇପାସ୍‌ ସଡ଼କ ନିର୍ମାଣରେ ଚୋରା ମୋରମ ବ୍ୟବହାର କରିବା ପରେ ମୋରମ ଲୁଟର ଖିଅ ପଦାକୁ ଆସିଥିଲା । ଏ ସମ୍ପର୍କରେ ନ୍ୟୁଭିସ୍ତା ସିମେଣ୍ଟ କାରଖାନାର ଜଣେ ଅଧିକାରୀଙ୍କୁ ପଚାରିବାରେ ତାଙ୍କ ସଂସ୍ଥାର ଏହି ଘଟଣା ଓ ଜରିମାନାରେ କୌଣସି ସମ୍ପୃକ୍ତି ନ ଥିବା କହିଛନ୍ତି । ଜରିମାନା ସମ୍ପର୍କରେ ଦାନଗଦୀ ତହସିଲଦାର ଦାୟିତ୍ୱରେ ଥିବା ନାରାୟଣ ଚନ୍ଦ୍ର ଦୀକ୍ଷିତଙ୍କୁ ପଚାରିବାରୁ ରାସ୍ତା ପାଇଁ ମୋରମ ବ୍ୟବହାର କରିଥିବା ପିକାସୋନାକୁ ଜରିମାନା କରାଯାଇଛି । ଜରିମାନା ପୈଠ କରା ନ ଗଲେ ସମ୍ପୃକ୍ତ ସଂସ୍ଥା ଉପରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।