ଘରେପଶି ମାଡ଼ମାରି ସୁନାଗହଣା, ଟଙ୍କା ଚୋରିକଲେ ଦୁର୍ବୃତ୍ତ: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଦିଗପହଣ୍ଡି/ଚିକିଟି,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ଗଡ଼ ଗୋବିନ୍ଦପୁର ପଞ୍ଚାୟତ ଡାବରାସିଙ୍ଗି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ପ୍ରସନ୍ନ ପ୍ରଧାନଙ୍କ ଘରେ ପଶି ନଗଦ ଟଙ୍କା ସହ ସୁନାଗହଣା ଦେଇ ଫେରାର ହୋଇଯାଇଛନ୍ତି।

ପ୍ରକାଶ ଯେ, ପ୍ରସନ୍ନ ଘର ପିଣ୍ଢାରେ ଶୋଇଥିବା ବେଳେ ସ୍ତ୍ରୀ ମାମି ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ବାରି କବାଟ ଭାଙ୍ଗି ଘରେ ପଶିଥିଲେ। ଶବ୍ଦ ଶୁଣି ପ୍ରସନ୍ନଙ୍କ ଝିଅ ପାଟି କରିବାରୁ କଳାମୁଖା ପିନ୍ଧିଥିବା ଜଣେ ଦୁର୍ବୃତ୍ତ ତାଙ୍କ ଗାଲକୁ ଚାପୁଡ଼ା ମାରି ଦୌଡ଼ି ପଳାଇଥିଲେ। ଝିଅର ପାଟିଶୁଣି ପ୍ରସନ୍ନ ଘର ଭିତରକୁ ଆସି ଆଲମିରାରୁ ନଗଦ ୮୧ ହଜାର ଟଙ୍କା ସମେତ ପ୍ରାୟ ୩ ଭରି ଓଜନର ସୁନା ଅଳଙ୍କାର, ୧୦ ଭରି ଓଜନର ରୂପା ଅଳଙ୍କାର ଚୋରି ହୋଇଥିବା ଜାଣାପାରିଥିଲେ। ଏ ନେଇ ସେ ଏସ.କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଖବର ପାଇ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, ଆଇଆଇସି ମାଧବାନନ୍ଦ ନାୟକ, ନୂଆପଡ଼ା ଫାଣ୍ଡି ଏଏସ୍‌ଆଇ କ୍ଷୀରୋଦ ଚନ୍ଦ୍ର ବେହେରା ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକରି ଫେରିଥିବା ଜଣାପଡ଼ିଛି।
ସେହିପରି ପ୍ରସନ୍ନଙ୍କ ପଡୋଶୀ ଟୁଟୁ ପ୍ରଧାନଙ୍କ ସ୍ତ୍ରୀ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେପଶି ତାଙ୍କ ବେକରୁ ଦେଢ଼ଭରି ଓଜନର ସୁନାଚେନ କାଟି ନେଇଥିବା ଅଭିଯୋଗ ହୋଇଛି।