ଗିରଫ ଡାକ୍ତରଙ୍କ ଶୌଚାଳୟରୁ ମିଳିଲା ୨୦,୫୫୮ ଡଲାର

ଭୁବନେଶ୍ୱର (ସୂର୍ଯ୍ୟକାନ୍ତ ବେହେରା)/ ପାରାଦୀପ,(ଶରତ ରାଉତ)/ ସିମୁଳିଆ, ୧୩।୧୦ (ସନ୍ତୋଷ ନାୟକ) : ପୋର୍ଟ ହେଲ୍‌ଥ ମେଡିକାଲ କ୍ଲିୟରାନ୍ସ ପ୍ରଦାନ ପାଇଁ ଜାହାଜ କ୍ରିଉ ମେମ୍ବର (ନାବିକ)ଙ୍କଠାରୁ ୫୪ ହଜାର ଲାଞ୍ଚ ନେବାବେଳେ ଗିରଫ ହୋଇଥିବା ପାରାଦୀପ ବନ୍ଦରସ୍ଥିତ ପୋର୍ଟ ହେଲ୍‌ଥ ଅର୍ଗାନାଇଜେଶନ(ପିଏଚ୍‌ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଶୁକ୍ରବାର ସିବିଆଇ ଘନଘନ ଜେରା କରିଛି। ତାଙ୍କ ବିରୋଧରେ ଏକ ମାମଲା ପରେ ମାମଲା ନଂ.ଆର୍‌ସି୧୦ଏ/୨୩, ଡିକେ ରୁଜୁ କରାଯାଇଛି। ତେବେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା ଭିତରେ ସିବିଆଇ ଅଧିକାରୀମାନେ ତାଙ୍କର ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛନ୍ତି। ଏହି ଆଧାରରେ ସିବିଆଇ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ପାରାଦୀପ ଭୂୟାଁ ଛକରେ ଥିବା ଡା. ପାଣିଗ୍ରାହୀଙ୍କ ଅଫିସ ସମେତ ବାଲେଶ୍ୱର ଓ କଟକରେ ଥିବା ଘରେ ସିବିଆଇ ଚଢ଼ାଉ କରି ଖଟତଳ, ଟେବୁଲ ଡ୍ରୟାର ମଧ୍ୟରୁ ନଗଦ ୧୭ ଲକ୍ଷ ଟଙ୍କା ଓ ଶୌଚାଳୟରୁ ୨୦ ହଜାର ୫୫୮ ଆମେରିକୀୟ ଡଲାର, ଓଡିଶା ଓ ହାଇଦ୍ରାବାଦରେ ଥିବା ୫ଟି ସମ୍ପତ୍ତିର କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡଡିସ୍କକୁ ସିବିଆଇ ଅଧିକାରୀମାନେ ଜବତକରି ନେଇଛନ୍ତି। ସେହିପରି ପାରାଦୀପର ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ସିଗାରେଟ ମିଳିଥିବା ସୂଚନା ମିଳିଛି। ପରେ ଡା. ପାଣିଗ୍ରାହୀଙ୍କୁ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତେବେ ଏହା ପୂର୍ବରୁ ସିବିଆଇ ଟିମ୍‌ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେଇଥିଲା। ଏହି ସମୟରେ ସେ କୌଣସି ଲାଞ୍ଚ ନେଇନାହାନ୍ତି, ତାଙ୍କୁ ଫସାଇ ଦିଆଯାଇଥିବା ଗଣମାଧ୍ୟମ ଆଗରେ କହିଥିଲେ।