Categories: ଖେଳ

ଚେନ୍ନାଇ ଆଗରେ ୨୦୩ ରନ୍‌ର ବିଜୟ ଟାର୍ଗେଟ୍‌

ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍‌ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍‌ସନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯଶସ୍ବୀ ଜୟସ୍ବାଲଙ୍କ ୭୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୨ ରନ୍‌ କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ ଆଗରେ ୨୦୩ ରନ୍‌ର ବିଶାଳ ଟର୍ଗେଟ୍‌ ରଖିଛି ରାଜସ୍ଥାନ।

ରାଜସ୍ଥାନର ଦୁଇ ଓପ୍‌ନର ଯଶସ୍ବୀ ଜୟସ୍ବାଲ ଏବଂ ଯୋଶ୍‌ ବଟ୍‌ଲର ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ। ଦଳୀୟ ସ୍କୋର ୮୬ ରନ୍‌ରେ ଯୋଶ୍‌ ବଟ୍‌ଲର ୨୧ ବଲ୍‌ରେ ୨୬ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ସଞ୍ଜୁ ସାମ୍‌ସନ। ଅଧିନାୟକ ସଞ୍ଜୁ ୧୭ ରନ୍‌ କରି ବିଫଳ ହୋଇଥିବା ବେଳେ ଦଳକୁ ଆଗକୁ ନେଇଥିଲେ ଜୟସ୍ବାଲ। ଜୟସ୍ବାଲ ୪୩ ବଲ୍‌ରେ ୮ ଚୌକା ଏବଂ ୪ ଛକା ସହାୟତାରେ ୭୭ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ସେହିପରି ସିମ୍‌ରନ୍‌ ହେଟ୍‌ମେୟର ୮ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ହେଲେ ଶେଷବେଳକୁ ଧ୍ରୁବ ଜୁରେଲ ୧୫ ବଲ୍‌ରେ(୩ ଚୌକା ଏବଂ ୨ ଛକା) ୩୭ ରନ୍‌ର ଦମ୍‌ଦାର ଇନିଂସ୍‌ ଖେଳିଥିଲେ। ସେହିପରି ଦେବଦତ୍ତ ପାଦିକଲ ୧୩ ବଲ୍‌ରେ ମହତ୍ତ୍ୱପୂର୍ଣ୍ଣ ୨୭ ରନ୍‌ କରିଥିଲେ। ଫଳରେ ରାଜସ୍ଥାନ ୨୦୩ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଚେନ୍ନାଇର ତୁଷାର ଦେଶ୍‌ପାଣ୍ଡେ ସର୍ବାଧିକ ୨ ଉଇକେଟ ନେଇଥିବା ବେଳେ ମହେଶ ତକ୍ସାନା ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share