ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ ହେଉଛନ୍ତି। ଧାନ ସଂଗ୍ରହ ବାବଦକୁ ପ୍ରତି ଆର୍ଏମ୍ସି କୋଟି କୋଟି ଟଙ୍କା ଫି ଆଦାୟ କରୁଛନ୍ତି। ମାତ୍ର ଆର୍ଏମ୍ସି ଅଧୀନରେ ରହିଥିବା ଧାନକ୍ରୟ କେନ୍ଦ୍ର ତଥା ମଣ୍ଡି ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ସେହି ଟଙ୍କା ବିନିମୟରେ ହେଉ ନାହିଁ। ଅନ୍ୟପକ୍ଷରେ ଅବ୍ୟବସ୍ଥିତ ମଣ୍ଡିଗୁଡ଼ିକୁ ଧାନ ବିକିବାକୁ ଆସି ଚାଷୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କେଉଁ ମଣ୍ଡିରେ ଗଛତଳେ ଧାନ କିଣାବିକା ଚାଲିଛି ତ ଆଉ କେଉଁଠି ପର୍ଯ୍ୟାପ୍ତ ଗୋଦାମ ଗୃହ ନ ଥିବାରୁ ବର୍ଷା ହେଲେ ମଣ୍ଡିରେ ଧାନ ଭିଜୁଛି। କେବଳ ସେତିକି ନୁହେଁ, ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ସମୟରେ କେତେକ ମଣ୍ଡିରେ ଧାନଚୋରି ହେବାର ମଧ୍ୟ ନଜିର ରହିଛି। ସେହିପରି ବିଭିନ୍ନ ମଣ୍ଡିରେ ଏପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ଉପଯୁକ୍ତ ଆଶ୍ରୟ ସ୍ଥଳୀ, ପାନୀୟଜଳ ପ୍ରକଳ୍ପ କିମ୍ବା ଆବଶ୍ୟକ ସ୍ଥଳେ ଧାନ ଗଦା କରି ଶୁଖାଇବା ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ମଣ୍ଡିକୁ ଧାନ ବିକ୍ରି ପାଇଁ ଆସିଥିବା ଚାଷୀମାନଙ୍କୁ ବହୁ ହଟହଟା ହେବାକୁ ପଡ଼ିଛି।
ଶୁକ୍ରବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହିତ ଧାନ ସଂଗ୍ରହ ଫି ବାବଦକୁ ସଂଗୃହୀତ ଟଙ୍କାର ଠିକ ବିନିଯୋଗ କରି ଜିଲାରେ ରହିଥିବା ସମସ୍ତ ମଣ୍ଡି ଗୁଡ଼ିକର ବିକାଶ ଏବଂ ବିଭିନ୍ନ ଧାନବିକ୍ରି ସମସ୍ୟାର ସମାଧାନ କରିବା ପାଇଁ ଦାବି ହୋଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଜିଲାରେ ଧାନ ସଂଗ୍ରହ ଫି ବାବଦକୁ ସଂଗୃହୀତ ଟଙ୍କା ମଧ୍ୟରୁ ଅତାବିରା ଆରଏମସିରେ ୧୦୪କୋଟି, ବରଗଡ଼ ଆର୍ଏମ୍ସିରେ ୬୫କୋଟି ଏବଂ ପଦ୍ମପୁର ଆରଏମ୍ସିରେ ୩୩କୋଟି ଟଙ୍କା ପଡ଼ି ରହିଛି। ଏଭଳି ସମୁଦାୟ ଟଙ୍କା ଆର୍ଏମ୍ସିରେ ପଡ଼ି ରହିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତି ଏବଂ ଅବହେଳା ଯୋଗୁ ତାହା ବିନିଯୋଗ ହୋଇ ପାରି ନାହିଁ। ଅନ୍ୟପଟେ ଚାଷୀମାନେ ଗଛମୂଳେ ଧାନ ବିକ୍ରି କରୁଛନ୍ତି। ଅନେକ ମଣ୍ଡିରେ ଅତ୍ୟାବଶ୍ୟକ ବ୍ୟବସ୍ଥା ନ ଥିବା ଯୋଗୁ ଚାଷୀମାନେ ମଣ୍ଡି ପ୍ରତି ମୁହଁ ଫେରାଇ ନେଉଛନ୍ତି। ଫଳରେ ଆର୍ଏମ୍ସିରେ ପଡ଼ି ରହିଥିବା ଟଙ୍କାର ସୁବିନିଯୋଗ କରି ମଣ୍ଡି ଭିତ୍ତଭୂମି ନିର୍ମାଣ କରିବା ପାଇଁ ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ସେହିପରି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଚାଷୀମାନଙ୍କୁ ବିଭିନ୍ନ ଆଳ ଦେଖାଇ ହଟହଟା କରାଯାଇଥାଏ। ଆସନ୍ତା ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀମାନଙ୍କୁ ସେଭଳି ହଇରାଣ ହରକତ ନ କରିବା ପାଇଁ ଦାବି ହୋଇଛି। ଏଫଏକ୍ୟୁ ଆଳରେ କଟନୀଛଟନୀ ବନ୍ଦ, ମଣ୍ଡିକୁ ଦଲାଲମୁକ୍ତ କରାଯିବା ପାଇଁ ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ମଣ୍ଡିରେ ରାଇସ ମିଲରମାନେ ଧାନ କିଣାବିକାକୁ ନିୟନ୍ତ୍ରଣ କରୁଥିବା ପରିଲକ୍ଷିତ ହୁଏ। ଫଳରେ ପ୍ରତ୍ୟେକ ମଣ୍ଡିରେ ରାଇସ ମିଲର୍ମାନଙ୍କୁ ପ୍ରତ୍ୟେକ୍ଷ ନିୟନ୍ତ୍ରଣରୁ ବାଦ ଦେବା, ମଣ୍ଡି ପରିଚାଳନା ଦାୟିତ୍ୱରେ ରହିଥିବା କର୍ମଚାରୀମାନଙ୍କୁ ପ୍ରତି ୨ବର୍ଷରେ ବଦଳି କରାଯିବା, ମଣ୍ଡି ପରିଚାଳନା ଦାୟିତ୍ୱ ମିଲରମାନଙ୍କୁ ନ ଦେଇ ଧାନକ୍ରୟ ସଂସ୍ଥାକୁ ଦିଆଯାଉ ବୋଲି ମଧ୍ୟ ଦାବି ହୋଇଛି। ସାଟେଲାଇଟ଼ ସର୍ଭେ ଆଳ ଦେଖାଇ ପଞ୍ଜିକରଣରେ ଟୋକନରେ ଚାଷୀଙ୍କ ଜମି ପରିମାଣ ହ୍ରାସ କରି ଦିଆଯାଉଛି । ତାକୁ ବାଦ ଦେଇ ଚାଷ ଅନୁସାରେ ପଞ୍ଜିକରଣ ଭିତ୍ତିରେ ଧାନ କାର୍ଡ ଦିଆଯାଉ ବୋଲି ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ସ୍ମାରକପତ୍ର ପ୍ରଦାନ ସମୟରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ସୁବଳ ପଧାନ, ଏକାଦଶିଆ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


