Categories: ଖେଳ

ସ୍ବାମୀଙ୍କ ପରେ ଦେଶକୁ ଚାମ୍ପିଅନ୍‌ କଲେ ସ୍ତ୍ରୀ

ଖ୍ରୀଷ୍ଟଚର୍ଚ୍ଚ,୩।୪: ମହିଳା ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ୭ମଥର ପାଇଁ ଟାଇଟେଲ୍‌ ଜିତିଛି। ବିଜୟ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅଷ୍ଟ୍ରେଲୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲିସା ହେଲିଙ୍କୁ ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଚୟନ କରିଛି। ହେଲିଙ୍କ ସ୍ବାମୀ ତଥା କ୍ରିକେଟର ମିଚେଲ ଷ୍ଟାର୍କ ମଧ୍ୟ ୨୦୧୫ ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପ୍ଲେୟାର ଅଫ ଦି ଟୁର୍ନାମେଣ୍ଟରେ ସମ୍ମାନିତ ହୋଇଥିଲେ। ମହିଳା ଦିନିକିଆ ବିଶ୍ୱକପ୍‌ ଫାଇନାଲ ମଧ୍ୟ ସ୍ତ୍ରୀଙ୍କୁ ଚିୟର୍‌ କରିବା ପାଇଁ ଷ୍ଟାର୍କ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଫାଇନାଲରେ ଆଲିସା ୧୭୦ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହିପରି, ସେ ମହିଳା ଏବଂ ପୁରୁଷ ବିଶ୍ୱକପରେ ୧୫୦ କିମ୍ବା ଅଧିକ ରନ ସ୍କୋର କରିବାରେ ପ୍ରଥମ ଖେଳାଳି ହୋଇଥିଲେ।
ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟରେ ହେଲି ସର୍ବାଧିକ ୫୦୯ ରନ ସ୍କୋର କରିଥିଲେ। ସେ ସେମିଫାଇନାଲ ଏବଂ ଫାଇନାଲରେ ଶତକ ହାସଲ କରିଥିଲେ। ସେ ଏହା କରିବାରେ ପ୍ରଥମ ଖେଳାଳି ହୋଇଥିଲେ। ୩୨ ବର୍ଷୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ହେଲି ୯ଟି ମ୍ୟାଚରେ ହାରାହାରି ୫୬.୫୫ରେ ୫୦୯ ରନ ସଂଗ୍ରହ କରିଛନ୍ତି। ୨ ଶତକ ଏବଂ ୨ ଅର୍ଦ୍ଧ ଶତକ ସ୍କୋର କରିଥିଲେ। ଏହା ବ୍ୟତୀତ ଉଇକେଟ କିପର ଭାବରେ ଚାରିଟି କ୍ୟାଚ ନେଇଥିଲେ ଏବଂ ଚାରିଟି ଷ୍ଟମ୍ପିଂ ମଧ୍ୟ କରିଥିଲେ।

Share