ବଣ୍ଡା ଜନଜାତିଙ୍କ ମୁଣ୍ଡବ୍ୟଥାର କାରଣ ୨୦୦୦ ଟଙ୍କିଆ ନୋଟ୍‌

ମାଲକାନଗିରି,୨୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଆଦିମ ଅଧିବାସୀ ତଥା ଘାଟି ଉପରର ବଣ୍ଡା ଜନଜାତିଙ୍କ ପାଇଁ ବର୍ତ୍ତମାନ ଅଡୁଆ ସାଜିଛି ୨୦୦୦ ଟଙ୍କିଆ ନୋଟ୍‌ । ବର୍ତ୍ତମାନ ଏହି ନୋଟ୍‌ ବଜାରରେ କେହି ନେଉ ନ ଥିବାରୁ ସମସ୍ୟାରେ ପଡ଼ିଛନ୍ତି ଲୋକେ। ଏବେ ହାଟକୁ ଆସି ହନ୍ତସନ୍ତ ହେଉଛନ୍ତି ଆଦିମ ଜନଜାତି ବଣ୍ଡାମାନେ। ଯାହା ରୋଜଗାର କରନ୍ତି ସେଥିରେ ତେଲଲୁଣର ସଂସାର ଚଳିଥାଏ। ବଣ୍ଡା ଲୋକେ ନିଜ ନିଜ ବାଡ଼ିରେ ଚାଷ କରିଥିବା ଶସ୍ୟ ଓ ପନିପରିବା ନେଇ ହାଟକୁ ଆସନ୍ତି, ପୁଣି ଏଠାରୁ ନିଜର ଆବଶ୍ୟକ ଜିନିଷପତ୍ର ନେଇ ଫେରନ୍ତି। କିନ୍ତୁ ଏବେ ୨ ହଜାର ଟଙ୍କିଆ ଅଚଳ ହେବାର ଖବର ପାଇବା ପରେ ଏମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଏମାନେ ନିଜର ସ୍ବଳ୍ପ ରୋଜଗାରରୁ ଯାହା କିଛି ସଞ୍ଚୟ କରିଛନ୍ତି, ସେଥିରେ ଅନେକ ବଣ୍ଡା ପରିବାରଙ୍କ ପାଖରେ କିଛି ୨୦୦୦ ଟଙ୍କିଆ ନୋଟ୍‌ ରହିଯାଇଛି। ବର୍ତ୍ତମାନ ଏହି ନୋଟ୍‌ ଅଚଳ ହେବାକୁ ଯାଉଥିବା ଖବର ପାଇବା ପରେ ଏହି ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଜଣେ କି ୨ଜଣ ନୁହନ୍ତି, ଏକାଧିକ ବଣ୍ଡା ମହିଳା ହାତରେ ୨୦୦୦ଟଙ୍କିଆ ନୋଟ୍‌ ଧରି ମୁଣ୍ଡିଗୁଡ଼ା ହାଟକୁ ବଜାର କରିବାକୁ ଆସୁଥିବା ବେଳେ ହାଟରେ ଥିବା ବେପାରୀ ଏହି ନୋଟ୍‌ ନେବାକୁ ରାଜି ହେଉ ନାହାନ୍ତି। ଫଳରେ ଚିନ୍ତାରେ ପଡ଼ିଯାଇଛନ୍ତି ଏହି ଆଦିମ ଜନଜାତିର ଲୋକେ। ତେବେ ରିଜର୍ଭ ବ୍ୟାଙ୍କ ୨ହଜାର ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମାକରିବାକୁ ନିଦ୍ଦେର୍ର୍ଶନାମା ଜାରି କରିଥିବା ବେଳେ ହାଟ ବଜାରରେ ବେପାର କରୁଥିବା ଛୋଟ ଛୋଟ ବ୍ୟବସାୟୀମାନେ ଆଉ ଗ୍ରାହକଙ୍କଠାରୁ ୨ ହଜାର ଟଙ୍କିଆ ନୋଟ୍‌ ନେଉନାହାନ୍ତି । ଏହି କାରଣରୁ ମହିଳାମାନେ ୨୦୦୦ ଟଙ୍କିଆ ଧରି ହାଟରେ ବୁଲୁଥିବା ଦେଖିବାକୁ ମିଳିଛି। ଅନେକ ବଣ୍ଡା ମହିଳା ତଥା ଏହି ଜନଜାତି ଲୋକ ଆଜି ସୁଦ୍ଧା ବ୍ୟାଙ୍କ ଦେଖିନାହାନ୍ତି। ତେଣୁ ବାଧ୍ୟହୋଇ ଅଦଳ ବଦଳ ପ୍ରଥାକୁ ଗ୍ରହଣକରି ବଣ୍ଡା ଲୋକେ ହାଟରୁ ବିଭିନ୍ନ ସଉଦା ନେଉଥିବା ଦେଖିବାକୁ ମିଳିଛି। ତେବେ ଏଭଳି ସ୍ଥଳେ ଆଦିମ ଜନଜାତିଙ୍କ ନିକଟରେ ତୁରନ୍ତ ବ୍ୟାଙ୍କ କର୍ମଚାରୀ ଓ ପ୍ରଶାସନ ପହଞ୍ଚି ଅଚଳ ହେବାକୁଥିବା ୨ ହଜାର ଟଙ୍କିଆ ନୋଟ୍‌ ବଦଳ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି ।