କେସିଙ୍ଗା,୧୨।୬(ତୁମେଶ୍ୱର ସାହୁ): ଦୀର୍ଘ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ ଜାତୀୟ ରାଜପଥ ୨୬ଉପରେ ପଡିଯାଇଥିବାରୁ ଗୁରୁବାର ରାତିରେ ୪ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା। କେସିଙ୍ଗା ଆମ୍ବେଦକର ଛକ ନିକଟରେ ଥିବା ପ୍ରାୟ ୨୦୦ ବର୍ଷର ଏକ ବିରାଟକାୟ ଅଶ୍ୱତ୍ଥ ଗଛ ଗୁରୁବାର ଭୋର୍ ପ୍ରାୟ ୨ଟା ସମୟରେ କାଳବୈଶାଖୀ ଯୋଗୁ ଚେରରୁ ଉପୁଡ଼ି ଏନଏଚ ୨୬ ଉପରେ ପଡ଼ି ଜାତୀୟ ରାଜପଥ ଦୀର୍ଘ ୪ଘଣ୍ଟା ଅବରୋଧ ହୋଇଥିଲା। ରାତି ସମୟରେ ଗଛ ଉପୁଡ଼ି ପଡ଼ିଲା ବୋଲି ରକ୍ଷା ମିଳିଗଲା ନ ହେଲେ ଅନେକ ଯାନବାହାନ ସମେତ ପଥଚାରୀଙ୍କ ଜୀବନ ଯାଇ କ୍ଷୟକ୍ଷତି ହୋଇଥାନ୍ତା। କାରଣ ଉକ୍ତ ଗଛ ମୂଳରେ ଅନେକ ଛୋଟ ଛୋଟ ଦୋକାନୀ ଦୋକାନ ଖୋଲି ନିଜର ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ରାତ୍ରି ସମୟରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହା ଦେଖି ତୁରନ୍ତ କେସିଙ୍ଗା ଦମକଳ ଅଫିସକୁ ଫୋନ କରି ଜଣାଇବାଥିଲେ। ଫୋନ ପାଇଲା ପରେ ଦମକଳ ବାହିନୀ ଟିମ ଆସି ଯୁଦ୍ଧକାଳୀନ ଭିତ୍ତିରେ ଏତେ ବଡ଼ ଗଛକୁ କାଟି ଚାରି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରାସ୍ତା ଅବରୋଧ ହଟିଥିଲା। ଜାତୀୟ ରାଜପଥ ହୋଇଥିବାରୁ ଦୁଇ ପଟରେ ଶହ ଶହ ସଂଖ୍ୟାରେ ଛୋଟ ବଡ଼ଗାଡ଼ି ଅଟକି ଥିବାର ଦେଖିବାକୁ ମିଳିଥିଲା।
ସେହିପରି ଗତ ବୁଧବାର ଅପରାହ୍ନ ପ୍ରାୟ ସାଢେ ତିନିଟାବେଳେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ବିରାଟକାୟ ଅଶ୍ୱତ୍ଥ ଗଛ ମଧ୍ୟ କାଳବୈଶାଖୀ ଯୋଗୁ ଅଧା ଭାଗ ଛିଣ୍ଡି ମେଡିକାଲର ବର୍ହିବିଭାଗ ସମ୍ମୁଖରେ ପଡ଼ି ମେଡିକାଲ କୋଠାର ଅନେକ କ୍ଷୟକ୍ଷତି ହୋଇଥିଲା। ମେଡିକାଲରେ ମଧ୍ୟ ଗଛ ଭାଙ୍ଗିବା ସମୟରେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ କେହି ବାହାରେ ନ ଥିଲେ ବୋଲି ବଡ଼ ବିପଦରୁ ବଞ୍ଚି ଯାଇଥିଲେ। ଦୁଇ ଦିନରେ ଦୁଇଟି ଦୀର୍ଘାୟୁ ବର୍ଷର ଗଛ ଭାଙ୍ଗିବା ପରେ ସହରବାସୀ କୌଣସି ଗଛ ମୂଳରେ ଠିଆ ହେବା ପାଇଁ ଡରୁଛନ୍ତି।