ଖାଦ୍ୟ ଥାଇ ୨୦୦ କୋଟି ଭୋକିଲା

ନୂଆଦିଲ୍ଲୀ, ୧୭।୧୦: ବିଶ୍ୱରେ ଆବଶ୍ୟକ ପରିମାଣର ଖାଦ୍ୟ ଉତ୍ପାଦନ ହେଉଥିଲେ ସୁଦ୍ଧା ଆନେକ ଦେଶ ଖାଦ୍ୟାଭାବ ସଙ୍କଟ ଦେଇ ଗତି କରୁଛନ୍ତି। ଏହାପଛର ପ୍ରମୁଖ କାରଣ ଖାଦ୍ୟ ନଷ୍ଟ। ତେବେ ଖାଦ୍ୟ ନଷ୍ଟ ଦ୍ୱାରା ଖାଲି ଯେ ବିଶ୍ୱ ଅର୍ଥବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି ତା’ ନୁହେଁ, ଜଳବାୟୁ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିବା ପ୍ରକାଶିତ ଡବ୍ଲ୍ୟୁଏଫ୍‌ପି ରିପୋର୍ଟରୁ ଜଣାପଡ଼ିଛି। ଅନେକ ସମୟରେ ବଳକା ଖାଦ୍ୟକୁ ଡଷ୍ଟବିନ୍‌ରେ ପକାଇ ଦିଆଯାଏ। ଏହି ଖାଦ୍ୟବର୍ଜ୍ୟ ବାୟୁମଣ୍ଡଳରେ କାର୍ବନ ପରିମାଣ ବୃଦ୍ଧି ପାଇଁ ଦାୟୀ ।

ଏହାଦ୍ୱାରା ଜଳର ଅପଚୟ ମଧ୍ୟ ଘଟେ। ବିଶ୍ୱରେ ପ୍ରତିବର୍ଷ ୧.୩ ବିଲିୟନ୍‌ ଟନ୍‌ ଖାଦ୍ୟ ନଷ୍ଟ ହେଉଛି, ଯାହାର ହାରାହାରି ମୂଲ୍ୟ ୧ ଟ୍ରିଲିୟନ୍‌ ଡଲାର। ଉତ୍ପାଦନ ହେଉଥିବା ମୋଟ ଖାଦ୍ୟର ତିନି ପ୍ରତିଶତ ପ୍ରତ୍ୟେକ ବର୍ଷ ନଷ୍ଟ ହେଉଥିବା ଓ୍ବାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ୍‌ (ଡବ୍ଲ୍ୟୁଏଫ୍‌ପି) ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନଷ୍ଟ ହେଉଥିବା ଖାଦ୍ୟର ପରିମାଣକୁ ଦେଖିଲେ ଏହାର ଆୟତନ ଏତେ ବିସ୍ତୃତ ଯେ, ତହିଁରୁ ଆମେରିକା ଓ ଚାଇନା ପରେ ସର୍ବାଧିକ ଅଙ୍ଗାରକାମ୍ଳ ବାହାରିଥାଏ। ବାୟୁମଣ୍ଡଳରୁ ନିର୍ଗତ ମୋଟ କାର୍ବନର ୮-୧୦% ଖାଦ୍ୟବର୍ଜ୍ୟରୁ ବାହାରିଥାଏ। ରିପୋର୍ଟ ଅନୁଯାୟୀ ଫିଙ୍ଗାଯାଉଥିବା ବଳକା ଖାଦ୍ୟରୁ ୩.୩ ବିଲିୟନ୍‌ ଟନ୍‌ ପରିମାଣର କାର୍ବନ ଡାଇଅକ୍ସାଇଡ୍‌ ବାହାରିଥାଏ। ତେବେ ସମାନ ପରିମାଣର ଅଙ୍ଗାରକାମ୍ଳ ପ୍ରତିବର୍ଷ ସବୁଜଗୃହରୁ ନିର୍ଗତ ହେଉଛି। ବାହାରେ ପିଙ୍ଗାଯାଉଥିବା ଖାଦ୍ୟ ସକାଶେ ବ୍ୟବହୃତ ଜଳର ଏକ ଚତୁର୍ଥାଂଶ ନଷ୍ଟ ହେଉଛି, ଯାହାର ପରିମାଣ ୧୭୨ ବିଲିୟନ୍‌ ଡଲାର ଆକଳନ କରାଯାଇଛି।

ଜାତିସଂଘର ଏନ୍‌ଭାରନ୍‌ମେଣ୍ଟ ପ୍ରୋଗ୍ରାମ (ୟୁଏନ୍‌ଇପି) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୈଶ୍ୱିକ ଖାଦ୍ୟ ଉତ୍ପାଦନର ୧୭ ପ୍ରତିଶତ ଖାଦ୍ୟ ନଷ୍ଟ ହୋଇଛି। ଏହି ଖାଦ୍ୟ ବର୍ଜ୍ୟର ୬୧% ଖାଦ୍ୟ ଘରୁ ଆସୁଥିବାବେଳେ ୨୬% ଫୁଡ୍‌ ସର୍ଭିସ୍‌ ଏବଂ ୧୩% ଦୋକାନରୁ ଆସିଥାଏ। ଖାଦ୍ୟ ନଷ୍ଟ କରିବାକୁ ଦାୟିତ୍ୱହୀନତା ବୋଲି କୁହାଯାଇପାରିବ। ଅନ୍ୟପକ୍ଷେ ଏହା ଓ୍ବେଷ୍ଟ ମ୍ୟାନେଜ୍‌ମେଣ୍ଟ ମେକାନିଜମ୍‌ ଉପରେ ଏକ ପ୍ରକାର ଚାପ ପକାଉଥିବା ଜଣାପଡ଼ିଛି। ସ୍ଥଳଭାଗରେ ଖାଦ୍ୟବର୍ଜ୍ୟ ଜମା ହେବା ସହ ଅନେକ ସମୟରେ ଏହା ପ୍ରବାହିତ ଜଳରେ ଭାସି ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।

ଖାଦ୍ୟ ନଷ୍ଟ କରିବା ଦ୍ୱାରା ବିଶ୍ୱରେ ଖାଦ୍ୟ ସଙ୍କଟର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ରେ ଖାଦ୍ୟାଭାବ କାରଣରୁ ବିଶ୍ୱର ୬୯୦ ନିୟୁତ ଲୋକ ଭୋକିଲା ରହୁଥିବା ଏଫ୍‌ଏଓ (ଫୁଡ୍‌ ଆଣ୍ଡ୍‌ ଏଗ୍ରିକଲଚର୍‌ ଅର୍ଗାନାଇଜେଶନ୍‌)ର ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ୨ ବିଲିୟନ୍‌ ଲୋକଙ୍କ ପାଖରେ ଖାଦ୍ୟ ଗ୍ରହଣ କରିବାର ସୁଯୋଗ ଥିଲେ ମଧ୍ୟ ସେମାନେ ଉପାସ ରହୁଛନ୍ତି।

ଖାଦ୍ୟ ନଷ୍ଟକୁ ରୋକିବା ପାଇଁ ବ୍ରିଟେନ୍‌ ପକ୍ଷରୁ ପଦକ୍ଷେପ ନିଆଯାଉଥିବାବେଳେ ଆସନ୍ତା ୨୦୩୦ ବେଳକୁ ବୈଶ୍ୱିକ ଖାଦ୍ୟ ନଷ୍ଟକୁ ମୂଳଚ୍ୟୁତ କରିବ ବୋଲି ଯୋଜନା ରଖିଛି। ବଳକା ଖାଦ୍ୟରୁ କମ୍ପୋଷ୍ଟ ଖତ ତିଆରି କରାଗଲେ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ଅନ୍ୟପଟେ ଫୁଡ୍‌ ବ୍ୟାଙ୍କ ଜରିଆରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଗଲେ ମଧ୍ୟ ଖାଦ୍ୟନଷ୍ଟକୁ ରୋକିହେବ।

 

Share