ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ, ୫୦ ହଜାର ଜରିମାନା

ଯାଜପୁର ଟାଉନ, ୨୪ା୧୨ (ଡି.ଏନ.ଏ.): ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା କରି ଏକ ରାୟ ପ୍ରକାଶ କରିଛନ୍ତି ଯାଜପୁର ଅତିରିକ୍ତ ଜିଲାଜଜ୍‌ ତଥା ପୋକ୍ସୋ କୋର୍ଟ ବିଚାରପତି ଯତିନ୍ଦ୍ର ମୋହନ ବେହେରା। ଜରିମାନା ଅନାଦେୟରେ ଅଭିଯୁକ୍ତଙ୍କୁ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିବାକୁ ରାୟରେ ଉଲ୍ଲେଖ ରହିଛି।
୨୦୧୮ ଅକ୍ଟୋବର ୧୬ରେ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ୮ବର୍ଷ ବୟସର ନାବାଳିକା ଠାକୁର ପୂଜା କରି ଫେରୁଥିବା ସମୟରେ ଉକ୍ତ ଅଞ୍ଚଳର ମଦନ ଓଝା (୨୯) ନାମକ ଯୁବକ ତାଙ୍କୁ ରାସ୍ତାରୁ ଟେକିନେଇ ବଳାତ୍କାର କରିଥିଲେ। ନାବାଳିକା ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ମାମଲା ନଂ.୧୪୮ା୧୮ ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ମାମଲାର ଚୂଡାନ୍ତ ଶୁଣାଣି ବେଳେ ୧୦ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ବିଚାରପତି ଏହି ରାୟ ପ୍ରକାଶ କରିଛନ୍ତି। ଜିଲା ନ୍ୟାୟିକ ପ୍ରାଧିକରଣ ସେବାଅଧିକାରୀ ପୀଡ଼ିତାଙ୍କୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ ସ୍ପେଶାଲ ପବ୍ଲିକ୍‌ ପ୍ରସିକ୍ୟୁଟର ଶୈଳେନ୍ଦ୍ର କୁମାର ସାମଲ ପରିଚାଳନା କରିଥିଲେ।