ହରଭଙ୍ଗା ବ୍ଲକର ୨୦ଗାଁ ପାଣି ଘେରରେ

ବୌଦ୍ଧ,୧୯।୮(ସ୍ବ.ପ୍ର): ବୌଦ୍ଧ ଜିଲାରେ ବନ୍ୟାସ୍ଥିତି ଧିରେ ଧିରେ ସୁଧୁରୁଛି। ଜିଲାର ହରଭଙ୍ଗା ବ୍ଲକର ୨୦ରୁ ଅଧିକ ଗା୍ରମ ଏବେ ବି ୫ ଦିନ ହେବ ପାଣି ଘେରରେ ରହିଛି। ଫଳରେ ଲୋକମାନେ ଏକ ପ୍ରକାର ବନ୍ଦୀ ଭାବେ ରହିଥିବା ଜଣାପଡିଛି। ବର୍ତ୍ତମାନ ମହାନଦୀର ଜଳସ୍ତର ଧିରେ ଧିରେ କମିବାରେ ଲାଗିଥିବାବେଳେ ଜିଲାରେ ବନ୍ୟାର ସ୍ଥିତି ଧିରେଧିରେ ସୁଧୁରୁଥିବା ଜଣାପଡିଛି। ବନ୍ୟା ଯୋଗୁ ଜଗନ୍ନାଥ ସଡକରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି। ଶହଶହ ଏକର ଧାନ ଜମି ନଷ୍ଟ ହୋଇଥିବା ଜଣାପଡିଛି। ବନ୍ୟା ଯୋଗଁୁ ଚାଷ ନଷ୍ଟ ହୋଇପଡିଥିବାବେଳେ ଜିଲାରେ ପରିବା ଦର ଆକାଶଛୁଆଁ ହେବା ସହ ଠିକ ଭାବେ ମଧ୍ୟ ମିଳି ପାରୁନାହିଁ। ହରଭଙ୍ଗା ବ୍ଲକର ପାଣିଘରା, ସୁରୁଣ୍ଡି, ରାଉତପଡ଼ା, ମଲିକପଡା, ଡିଆଘାଟ, କୋଡାସିଙ୍ଗା, ସଦଲଗଣ୍ଡା, ତେନ୍ତିଲିପଦର, ଖରଶଙ୍କୁଲୋଇ, ଖଣ୍ଡିଧଳପୁର, ଉଆଁଳ, କଙ୍କଲା କରଡି, ମାରଡା, ଅତଳସରା କୁଶାସିଙ୍ଗା ଓ ତିରଡ ଆଦି ଗ୍ରାମ ପାଣି ଘେରରେ ରହିଛି। ପାଣିଘରା ଗ୍ରାମରେ କୌଣସି ରିଲିଫ ପହଞ୍ଚତ୍ ନ ଥିବାବେଳେ ଅନ୍ଧାରରେ ଗ୍ରାମବାସୀ ରହିଛନ୍ତି। ଗ୍ରାମରେ ଲୋକଙ୍କୁ କିରୋସିନ ଓ କ୍ୟାଣ୍ଡେଲ ଯୋଗାଇ ଦେବାକୁ ମଧ୍ୟ ଦାବି ହେଉଛି। ଅନ୍ଧାରରେ ଗ୍ରାମବାସୀ ଥିବା ଯୋଗୁ ବିଷଧର ସାପ ଭୟ ଲାଗିଛି। ଜିଲା ପ୍ରଶାସନ ପକ୍ଷରୁ ରିଲିଫ ଦିଆଯାଇ ନ ଥିବା ଅଭିଯୋଗ ହେଉଥିବା ବେଳେ ଗ୍ରାମବାସୀ ବିପଦ ଅବସ୍ଥାରେ ପୁରା ନଦୀରେ ଦେଶୀ ଡଙ୍ଗା ସାହାର୍ଯ୍ୟରେ ଆଠମଲିକ ଅଞ୍ଚଳକୁ ଯାଇ ଖାଦ୍ୟ ସାମଗ୍ରୀ ଆଣୁଥିବା ମଧ୍ୟ ଜଣାପଡିଛି। ପ୍ରଶାସନ ପକ୍ଷରୁ ପାଣିଘରା ଗ୍ରାମରେ ରିଲିଫ ଯୋଗାଇ ଦେବାକୁ ଦାବି ହେଉଛି। ଆଗକୁ ପୁଣି ବଡ ବର୍ଷା ସମ୍ଭାବନା ଥିବାରୁ ଚିନ୍ତାରେ ପଡିଯାଇଛନ୍ତି ବନ୍ୟାବିପନ୍ନ ଲୋକେ।