ଶିକ୍ଷକଙ୍କ ମାଡ଼ରେ ୨୦ ଛାତ୍ରୀଛାତ୍ର ଲହୁଲୁହାଣ

ଆର୍‌.ଉଦୟଗିରି,୨୬ା୮(ଡି.ଏନ୍‌.ଏ.): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗା ସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ରୀଙ୍କୁ ୨ଟି ବାଉଁଶ ବାଡ଼ିରେ ଆଖିବୁଜା ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଏହି ସମୟରେ କିଛି ଶିକ୍ଷକ ବୁଝାଶୁଝା କରିବାକୁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପିଲାମାନଙ୍କର ଅବିଭାବକମାନେ ଏହି ଘଟଣା ଜାଣିବା ପରେ ନିଜ ନିଜର ପିଲାମାନଙ୍କୁ ୨ଟି ଅଟୋରେ ନେଇ ଆସି ଅଡବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପିଲାମାନଙ୍କର ଗୋଡ଼, ହାତ, ଛାତି ଓ ମୁଣ୍ଡରେ ଆଘାତ ଲାଗିଛି।
ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରୀଛାତ୍ରଙ୍କଠାରୁ ସବୁ କଥା ଶୁଣିଲା ପରେ ଶିକ୍ଷକ ବେହେରାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପ୍ରକାଶ ଯେ, ମୋହନା ବ୍ଲକର ଉପାନ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଅନୁପସ୍ଥିତି ସାଙ୍ଗକୁ ବହୁ ବିଦ୍ୟାଳୟର ଶିକ୍ଷକମାନେ ଶିକ୍ଷାଦାନ ସମୟରେ ମଦ୍ୟପାନ କରି ଆସୁଥିବା ଦେଖିବାକୁ ମିଳୁଛି। ଏହାର ସ୍ଥାୟୀ ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।