ପିସ୍ତା ଭାବି ଖାଇଦେଲେ ବିଷାକ୍ତ ଫଳ

ଭଣ୍ଡାରିପୋଖରୀ, ୩।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତ ଅରେଇକଣା ନୋଡାଲ ସ୍କୁଲରେ ଶୁକ୍ରବାର ବିଷାକ୍ତ ଫଳ ଖାଇ ୨୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ୫ ଛାତ୍ରୀଛାତ୍ର ଘରକୁ ଫେରିଥିବା ବେଳେ ଚିକିତ୍ସାଧୀନ ୧୫ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ସୂଚନା ଅନୁଯାୟୀ, ଖେଳଛୁଟି ସମୟରେ ସ୍କୁଲ ନିକଟରେ ଥିବା ଏକ ଗଛର ଫଳକୁ ପିସ୍ତା ବାଦାମ ଭାବି ଛାତ୍ରୀଛାତ୍ର ଖାଇଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଦେହ ଅସୁସ୍ଥ ହେବାରୁ ସ୍କୁଲ ପକ୍ଷରୁ ସଙ୍ଗେସଙ୍ଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେହି ଫଳ ଖାଇଥିବା ସମସ୍ତ ପିଲାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏନେଇ ଖବର ପାଇ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇଙ୍କ ସହ ବିଆର୍‌ସିସି ଅକ୍ଷୟ ଜେନା, ଏବିଇଓ ଉମେଶ ଚନ୍ଦ୍ର ଜେନା, ମଞ୍ଜୁଳା ନାୟକ, ସିଆର୍‌ସିସି କୈଳାସ ସାମଲ, ପୁଷ୍ପକ ଚନ୍ଦ୍ର ଭାରତୀ, ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ନୀଳାମ୍ବର ରାଉତ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସମସ୍ତ ଛାତ୍ରୀଛାତ୍ର ବିପଦମୁକ୍ତ ଥିବା ଡା. କମଳାକାନ୍ତ ସ୍ବାଇଁ କହିଛନ୍ତି।